ଚିଲିକା ମଝିରେ ଶତାଧିକ ଯାତ୍ରୀଙ୍କ ଜୀବନ ବାଜି ଲଗାଇଲେ ଡଙ୍ଗା ଚାଳକ

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚିଲିକା ମଝିରେ ଶତାଧିକ ଯାତ୍ରୀଙ୍କ ଜୀବନ ବାଜି ଲଗାଇଲେ ଡଙ୍ଗା ଚାଳକ । ଘାଟ ବିବାଦ ପାଇଁ ଦୀର୍ଘ ସମୟ ମଝି ଚିଲିକାରେ ଡଙ୍ଗାରେ ଫସି ରହିଥିଲେ ଯାତ୍ରୀ । ପ୍ରଶାସନର ହସ୍ତକ୍ଷେପ ପରେ ସଂଧ୍ୟାରେ ଯାତ୍ରୀବାହୀ ଡଙ୍ଗା କୂଳରେ ଲାଗିଛି ।
ସୂଚନା ଅନୁଯାୟୀ ଚିଲିକାରେ ସାତପଡା ଘାଟରୁ ଜହ୍ନିକୁଦା ଘାଟକୁ ଯାତ୍ରୀ ପରିବହନ ନେଇ ଦୁଇ ଡଙ୍ଗା ଚାଳକ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ଆପୋଷ ବୁଝାମଣା ପରେ ସ୍ଥିତି ଶାନ୍ତ ପଡିଥିଲା । ବୁଝାମଣା ଅନୁଯାୟୀ ସାତପଡାରୁ ଯାତ୍ରୀ ନେଇ ଜହ୍ନିକୁଦା ଘାଟକୁ ଯାଉଥିବା ଯାତ୍ରୀବାହୀ ଡଙ୍ଗା କୂଳରେ ଯାତ୍ରୀ ଓହ୍ଲାଇ ଖାଲି ଡଙ୍ଗା ନେଇ ଆସିବ । ଅନୁରୁପ ଭାବରେ ଜହ୍ନିକୁଦା ଘାଟରୁ ସାତପଡା ଘାଟକୁ ଯାତ୍ରୀ ନେଇ ଆସୁଥିବା ଡଙ୍ଗା ମଧ୍ୟ ସାତପଡା ଘାଟରେ ଯାତ୍ରୀ ଓହ୍ଲାଇ ଖାଲି ଡଙ୍ଗା ନେଇ ଫେରିବ ।
କୃଷ୍ଣପ୍ରସାଦରେ ଏବେ ପଣାଯାତ୍ରା ଚାଲିଥିବା ସମୟରେ ହଜାର ହଜାର ଯାତ୍ରୀଙ୍କ ଭିଡ ହେଉଛି । ସାତପଡା ଘାଟରୁ ଜହ୍ନିକୁଦା ଘାଟ ଓ ଜହ୍ନିକୁଦା ଘାଟରୁ ସାତପଡା ଘାଟକୁ ଚିଲିକାରେ ୫ କିଲୋମିଟର ପ୍ରତିଦିନ ହଜାର ହଜାର ଲୋକେ ପାରି ହେଉଛନ୍ତି । ଏହାରି ଭିତରେ ଆଜି ଜହ୍ନିକୁଦା ଘାଟରୁ ଯାତ୍ରୀ ନେଇ ସାତପଡା ଘାଟକୁ କିଛି ଡଙ୍ଗା ଆସିବା ପରେ ବିବାଦ ଆରମ୍ଭ ହୋଇଥିଲା । ସଂଧ୍ୟା ୫ଟାରେ ସାତପଡାରୁ ଜହ୍ନିକୁଦା ଘାଟକୁ ଯାଉଥିବା ୨୦ରୁ ଅଧିକ ଯାତ୍ରୀବାହୀ ଡଙ୍ଗାକୁ ଘାଟକୁ ଯିବାକୁ ଅନୁମତି ମିଳି ନ ଥିଲା । ଫଳରେ ଶତାଧିକ ଯାତ୍ରୀଙ୍କ ସହିତ ଡଙ୍ଗା ଗୁଡିକ ମଝି ଚିଲିକାରେ ଫସି ରହିଥିଲା । ଦୀର୍ଘ ୪୫ ମିନିଟ୍ ଧରି ଯାତ୍ରୀଙ୍କ ସହିତ ଡଙ୍ଗା ଫସି ରହିଥିଲା । ଚୈତାଳି ପବନରେ ଡଙ୍ଗା ସହିତ ଯାତ୍ରୀ କଲବଲ ହେଉଥିଲେ । ତୁରନ୍ତ କୃଷ୍ଣପ୍ରସାଦ ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଦୁଇ ଡଙ୍ଗା ଚାଳକ ଗୋଷ୍ଠୀ ମଧ୍ୟରେ ଆପୋଷ ବୁଝାମଣା କରି ଡଙ୍ଗା ସହିତ ଯାତ୍ରୀଙ୍କୁ କୂଳକୁ ନେଇଛି । ସେତେବେଳକୁ ସଂଧ୍ୟା ୬ଟା ବାଜି ସାରିଥିଲା । ଏନେଇ କୃଷ୍ଣପ୍ରସାଦ ଥାନା ଆଇଆଇସି ଦିଲ୍ଲିପ କୁମାର ସ୍ୱାଇଁଙ୍କୁ ପଚାରିବାରେ କୁହନ୍ତି କିଛି ସମୟ ପାଇଁ ଡଙ୍ଗା ଚିଲିକାରେ ରହିଥିଲା । ବୁଝାମଣା ପରେ ସବୁ ଡଙ୍ଗା ସହିତ ଯାତ୍ରୀ ଜହ୍ନିକୁଦା ଘାଟରେ ପହଞ୍ଚିଥିବା ସେ କହିଛନ୍ତି । କୃଷ୍ଣପ୍ରସାଦରେ ପଣାଯାତ୍ରା ଚାଲିଥିବାରୁ ଏବେ ଚିଲିକାରେ ଦିନରାତି ଡଙ୍ଗାରେ ଯାତ୍ରୀ ପରିବହନ ଚାଲିଛି ।