ଭୁବନେଶ୍ୱରରେ ଚିଲି ହକି ଟିମ୍‌

0

ଦ୍ୱିତୀୟ ବିଦେଶୀ ଦଳ ଭାବେ ଆଜି ଚିଲି ହକି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦଳକୁ ଭବ୍ୟ ସ୍ୱାଗତ ପରେ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଛି। ଏଥର ବିଶ୍ୱକପ୍‌ରେ ପଦାର୍ପଣ କରିବ ଚିଲି । ଏବେ ଦଳ ବିଶ୍ୱ ମାନ୍ୟତାରେ ୨୨ତମ ସ୍ଥାନରେ ରହିଛି । ପ୍ରଥମ ଥର ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିଥିବାରୁ ଚିଲି ଅଧିନାୟକ ଫର୍ଣ୍ଣାଡୋ ରେଞ୍ଜ ବେଶ ଖୁସି ପ୍ରକାଶ କରିଛନ୍ତି ।

ହକି ବିଶ୍ୱକପ୍‌କୁ ଆଉ ମଝିରେ ୭ ଦିନ ବାକି ରହିଥିବାବେଳେ ଉଭୟ କଳିଙ୍ଗ ଷ୍ଟାଡିୟମ ଏବଂ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ପ୍ରସ୍ତୁତି ଶେଷ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିର୍ସା ମୁଣ୍ଡା ଷ୍ଟାଡିୟମର ଶୁଭ ଉଦ୍‌ଘାଟନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନରେ ରାଉରକେଲାରେ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିଶ୍ୱକପ୍‌ ଫ୍ୟାନ ଭିଲେଜର ଉଦ୍‌ଘାଟନ କରିବେ ।

ଅପରାହ୍ଣରେ ବିର୍ସା ମୁଣ୍ଡା ଷ୍ଟାଡିୟମର ଉଦ୍‌ଘାଟନ ହେବ । ଏହି ଅବସରରେ ଏକ ଅଭ୍ୟାସ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ୧୫ ହଜାରରୁ ଊଦ୍ଧ୍ୱର୍ ଦର୍ଶକ ସାମିଲ ହେବେ ବୋଲି ଜଣା ପଡ଼ିଛି । ମାତ୍ର ଦେଢ଼ ବର୍ଷ ମଧ୍ୟରେ ବିର୍ସା ମୁଣ୍ଡା ଷ୍ଟାଡିୟମର କାର୍ଯ୍ୟ ଶେଷ ହୋଇଛି । ପାଖାପାଖି ୯ ଶହ କୋଟି ଟଙ୍କା ଏହାର ନିର୍ମାଣ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି । ୨୦ ହଜାର ଦର୍ଶକ ଏଠାରେ ବସି ମ୍ୟାଚ୍‌ ଦେଖି ପାରିବେ । ଏହାକୁ ବିଶ୍ୱର ବୃହତ୍‌ ହକି ଷ୍ଟାଡିୟମ କୁହାଯାଉଛି । ଷ୍ଟାଡିୟମର ଡିଜାଇନ ବେଶ ଆକର୍ଷଣୀୟ ହୋଇଥିବାବେଳେ ଏହାର ପରିସରରେ ୧୫୦ରୁ ୨୦୦ ବିଦେଶୀ ଖେଳାଳି ରହିବା ପାଇଁ ସୁବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ଷ୍ଟାଡିୟମର ଉଦ୍‌ଘାଟନୀ ଅବସରରେ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ଭେଟି ବାର୍ତ୍ତାଳାପ କରିବେ ।

Leave a comment