ବୁଣାକାରଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ହସ୍ତତନ୍ତ, ହସ୍ତଶିଳ୍ପ ବିଭାଗରେ ନବନିଯୁକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

0

ରାଜ୍ୟ ବୟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗରେ ୩୨ ଅଧିକାରୀ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୨୬ଜଣ ବୟନ ନିରୀକ୍ଷକ (ଟେକ୍ସଟାଇଲ୍‌ ଇନ୍ସପେକ୍ଟର) ଭାବେ ଯୋଗ ଦେଇଥିବାବେଳେ ୬ ଜଣ ଅଡିଟର ଭାବରେ ନିଯୁକ୍ତ ହୋଇଛନ୍ତି । ନୂଆ ଅଧିକାରୀଙ୍କ ନିଯୁକ୍ତି ପାଇଁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଭର୍ଚୁଆଲ୍‌ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଅଧିକାରୀମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ୫-ଟି ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସେମାନେ ସଫଳ ଭାବେ ନିଯୁକ୍ତି ପାଇଛନ୍ତି । ଅଧିକାରୀମାନେ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ । ଆଗାମୀ ଦିନରେ ଆପଣମାନେ ବୁଣାକାର ସମ୍ପ୍ରଦାୟଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନୂଆ ଅଧିକାରୀମାନେ ପ୍ରତିବଦ୍ଧତା ଓ ଆନ୍ତରିକତାର ସହ ନିଜର କାର୍ଯ୍ୟ ସମ୍ପାଦନ କରିବେ । ଯାହା ବୁଣାକାରଙ୍କ କଲ୍ୟାଣ ସହ ରାଜ୍ୟର ବିକାଶରେ ସହଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଗ୍ରାମାଞ୍ଚଳର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ହସ୍ତତନ୍ତ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ତାଙ୍କ ସରକାର ପ୍ରତ୍ୟେକ ବୁଣାକାରଙ୍କ ଜୀବନଧାରଣ ଶୈଳୀରେ ଉନ୍ନତି ଆଣିବା ସହ ଅଧିକ ଆରାମଦାୟକ କରିବା ପାଇଁ ଯୋଜନାମାନ କରିଛନ୍ତି । ଆୟ ବଢ଼ାଇ ସେମାନଙ୍କ ମୁହଁରେ ହସ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କ୍ଷେତ୍ର ପାଇଁ ତାଙ୍କ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଏହି କ୍ଷେତ୍ରରେ ନିୟୋଜିତ ଲୋକଙ୍କ ଆର୍ଥିକ ବିକାଶ ପାଇଁ ସରକାର ଅନେକ ଅଭିନବ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଘର ସହ କାର୍ଯ୍ୟକ୍ଷେତ୍ର (ୱାର୍କ-ସେଡ୍‌ କମ ହାଉସ୍‌) ନିର୍ମାଣ, ବୟନ ଜ୍ୟୋତି ଯୋଜନା, ଉନ୍ନତ ମାନର ଯନ୍ତ୍ରପାତି ଯୋଗାଣ, ଦକ୍ଷତା ବିକାଶ ତାଲିମ ଏବଂ ବୁଣାକାର କିଭଳି ବାହାରକୁ ଯାଇ ଜ୍ଞାନ ଆହରଣ କରିବେ ବ୍ୟବସ୍ଥା କରାଯାଇଛି । ବରିଷ୍ଠ ବୁଣାକାର ସହାୟତା ଯୋଜନା ଭଳି ଆହୁରି ଅନେକ ଯୋଜନା କରାଯାଇଛି । ଏହି ଯୋଜନାଗୁଡ଼ିକ ସେହି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଜୀବନରେ ଉଲ୍ଲେଖନୀୟ ପ୍ରଭାବ ପକାଇବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

କାର୍ଯ୍ୟକ୍ରମରେ ବୟନ, ହସ୍ତତନ୍ତ, ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ହସ୍ତତନ୍ତ କ୍ଷେତ୍ର ବ୍ୟାପକ ଅଗ୍ରଗତି କରିଛି । ବୁଣାକାର ଏବଂ ହସ୍ତତନ୍ତ କାରିଗରମାନେ ଆମର ଗର୍ବ । ନୂତନ ଅଧିକାରୀମାନେ ପ୍ରତିବଦ୍ଧତା ସହିତ ଏହି ଲୋକଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଥିଲେ, ଆମର ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବହୁ ଲୋକପ୍ରିୟ । ଯାହା ଓଡ଼ିଶା ବାହାରେ ପ୍ରିମିୟମ ଉତ୍ପାଦ ଭାବରେ ବିବେଚନା କରାଯାଏ । ନୂଆ ଅଧିକାରୀମାନେ ଟେକ୍ନୋଲୋଜି ଓ ଆଧୁନିକ ଡିଜାଇନ୍‌ ବ୍ୟବହାର କରି ଯୁବପିଢ଼ି କିଭଳି ଏହି ବୃତ୍ତିକୁ ଆପଣାଇବେ, ସେ ଦିଗରେ ଉତ୍ସାହିତ କରିବା ଉଚିତ୍‌ ବୋଲି ମୁଖ୍ୟ ଶାସନ ସଚିବ ଆହ୍ୱାନ ଦେଇଥିଲେ । ନୂତନ ଭାବେ ଯୋଗ ଦେଇଥିବା ଅଧିକାରୀ ସ୍ୱାତୀ ସୁଚରିତା ପରିଡ଼ା, ପିନାକି ଦାସ ପ୍ରମୁଖ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ଅତ୍ୟନ୍ତ ଖୁସି ଥିବା କହିଥିଲେ । ବିଭାଗୀୟ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ବୟନ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ ।

Leave a comment