ଡିସେମ୍ବର ସୁଦ୍ଧା ପୂରଣ ହେବ ସମସ୍ତ ଡାକ୍ତର ପଦ

ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

0

ଡାକ୍ତର ଆବଶ୍ୟକତା ତୁଳନାରେ ଓଡ଼ିଶା ଏବେ ଏକ ବଳକା ରାଜ୍ୟରେ ପରିଣତ ହୋଇଛି । ରାଜ୍ୟରେ ୨୦୦୦ରେ ବର୍ଷକୁ ମାତ୍ର ୩୨୧ ଏମବିବିଏସ୍ ଡାକ୍ତର ଏବଂ ୨୫୪ ଜଣ ବିଶେଷଜ୍ଞ ଡାକ୍ତର ବାହାରୁଥିବାବେଳେ ବର୍ତ୍ତମାନ ତାହା ଯଥାକ୍ରମେ ୨୨୦୦ ଓ ୮୨୬କୁ ବୃଦ୍ଧି ପାଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟରେ ଖାଲିଥିବା ସମସ୍ତ ଏମବିବିଏସ ଡାକ୍ତର ପଦ ପୂରଣ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ବିଭାଗୱାରୀ ସମୀକ୍ଷା ଆରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପୂଜାରୀ ଏବଂ ସଚିବ ଶାଳିନୀ ପଣ୍ଡିତ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭାଗର ଉପଲବ୍ଧି ସମ୍ପର୍କରେ ଜଣାଇଥିଲେ । ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ରାଜ୍ୟରେ ପୂର୍ବରୁ ଆବଶ୍ୟକତାଠାରୁ କମ୍‌ସଂଖ୍ୟକ ମେଡିକାଲ ଶିକ୍ଷା ପ୍ରତିଷ୍ଠାନ ଥିବା ଯୋଗୁ ଡାକ୍ତର, ପାରାମେଡିକାଲ କର୍ମଚାରୀ, ନର୍ସିଂ ଅଫିସରଙ୍କର ଘୋର ଅଭାବ ପରିଲକ୍ଷିତ ହେଉଥିଲା । ସେଥିପାଇଁ ପ୍ରାଥମିକତା ଭିତ୍ତିରେ ୮ଟି ନୂଆ ମେଡିକାଲ କଲେଜ ଓ ଦୁଇଟି ସ୍ନାତକୋତ୍ତର ପ୍ରତିଷ୍ଠାନ ସ୍ଥାପନ, ନର୍ସିଂ ସ୍କୁଲଗୁଡ଼ିକୁ କଲେଜରେ ରୂପାନ୍ତରଣ, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଦି କାମ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି । ଏହାର ଫଳସ୍ୱରୂପ ବିଭିନ୍ନ ବର୍ଗର ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ସଂଖ୍ୟା ବଢ଼ିବା ସହ ଉନ୍ନତ ସ୍ୱାସ୍ଥ୍ୟସେବାର ବାସ୍ତବ ବିକେନ୍ଦ୍ରୀକରଣ ମାଧ୍ୟମରେ ରାଜ୍ୟର ଲୋକଙ୍କୁ ଘରପାଖରେ ସମସ୍ତ ସୁବିଧା ଉପଲବ୍ଧ ହେଉଛି । ରାଜ୍ୟ ସରକାର ବିଗତ ଦୁଇ ଦଶନ୍ଧି ମଧ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତିକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସ୍ୱାସ୍ଥ୍ୟ ପରିଯୋଜନାର ସଫଳ ରୂପାୟନ ସାଙ୍ଗକୁ ଅନ୍ତର୍ଜାତୀୟ ମାନର ନିଜସ୍ୱ ଅଭିନବ ଯୋଜନାମାନ ପ୍ରଣୟନ କରିଛନ୍ତି ।
ସେ କହିଲେ ଯେ କର୍କଟ ରୋଗୀଙ୍କର ଅସହାୟତାକୁ ହୃଦୟଙ୍ଗମ କରି ବାଗଚୀ ଶ୍ରୀଶଙ୍କର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନ, ବାଗଚୀ କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ଏବଂ ନାଇଜର ପରିସରରେ ଷ୍ଟେଟ ଅଫ ଆର୍ଟ କ୍ୟାନସର ହସପିଟାଲ କରାଯାଉଛି । ଏଥିସହ ସମସ୍ତ ଜିଲ୍ଲା ଚିକିତ୍ସାଳୟରେ ମାଗଣା କେମୋଥେରାପି ସୁବିଧା କରାଯାଇଛି । ସମସ୍ତ ଜିଲ୍ଲା ଚିକିତ୍ସାଳୟରେ ଡାୟାଲିସିସ ସେବା ଉପଲବ୍ଧ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସମସ୍ତଙ୍କ ପାଇଁ ନିଃଶୁଳ୍କ ସେବା ଯୋଗାଇ ଦିଆଯାଉଥିବାବେଳେ ରାଜ୍ୟର ୯୬.୫ ଲକ୍ଷ ପରିବାରର ୩.୩ କୋଟିରୁ ଅଧିକ ଉପଭୋକ୍ତାଙ୍କ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ୭୦୦ ପ୍ରମୁଖ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ଉପଲବ୍ଧ କରାଯାଇଛି । ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଏଥିରେ ପ୍ରତିମାସରେ ପାଖାପାଖି ୧ ଲକ୍ଷ ରୋଗୀ ପ୍ରାୟ ୨୨୫ କୋଟି ଟଙ୍କାର ସେବା ପାଇ ପାରୁଛନ୍ତି ।
ବିଭାଗୀୟ ସଚିବ ଶ୍ରୀମତୀ ପଣ୍ଡିତ କହିଲେ ଯେ ମେଡିକାଲ କଲେଜର ସ୍ୱାସ୍ଥ୍ୟସେବା ଏବେ ରାଜ୍ୟର କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଭଳି ଉପାନ୍ତ ଜିଲାରେ ଉପଲବ୍ଧ । ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ ଅଧୀନରେ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତରମାନଙ୍କୁ ବିମାନ ଯୋଗେ ନିଆଯାଇ ସମ୍ପୃକ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ସେବା ଯୋଗାଇ ଦିଆଯାଉଛି । ସମଗ୍ର ଦେଶରେ ସର୍ବାଧିକ ଶିଶୁମୃତ୍ୟୁ ହ୍ରାସ, ଦ୍ୱିତୀୟ ସର୍ବାଧିକ ମାତୃମୃତ୍ୟୁ ହ୍ରାସ, ସର୍ବାଧିକ ଟିକାକରଣ, ସର୍ବାଧିକ ମ୍ୟାଲେରିଆ ନିୟନ୍ତ୍ରଣ, ଦ୍ୱିତୀୟ ସର୍ବାଧିକ ଯକ୍ଷ୍ମା ନିୟନ୍ତ୍ରଣ, ପ୍ରଜନନ ହାରରେ ଆଶାତୀତ ହ୍ରାସ, ମହିଳାମାନଙ୍କ ଋତୁସ୍ରାବ ସମ୍ପର୍କିତ ସ୍ୱଚ୍ଛତା କ୍ଷେତ୍ରରେ ଜାତୀୟ ହାର ଅପେକ୍ଷା ଅଧିକ ସଫଳତା ପାଇଛି ଓଡ଼ିଶା । ତେଣୁ ରାଜ୍ୟକୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନର ସୁଅ ଛୁଟିଛି । ଏସ୍‌ସିବିକୁ ଏମ୍ସ ପ୍ଲସ୍ ଭାବେ ବିକଶିତ କରାଯାଉଛି । ୨୦୨୪ରେ ଏହା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଗତ ୪ ବର୍ଷରେ ୧୦୮ ରୋଗୀବୁହା ଯାନ (ଆମ୍ବୁଲାନ୍ସ) ତାଲିକାରେ ଆଉ ୧୧୨ଟି ନୂତନ ଆମ୍ବୁଲାନ୍ସ ଯୋଗ କରାଯାଇଛି । ପ୍ରତ୍ୟେକ ବ୍ଲକରେ ଏଏଲ୍‌ଏସ୍ ଆମ୍ବୁଲାନ୍ସ ଅଛି । ଡିସେମ୍ବର ସୁଦ୍ଧା ଆଉ ୨୩୬ ଆମ୍ବୁଲାନ୍ସ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି ।

Leave a comment