ଚିଦାମ୍ବରମ ଆସନ୍ତା ୨୬ ପର୍ଯ୍ୟନ୍ତ ସିବିଆଇ ହାଜତରେ ରହିବେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗତକାଲି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଗିରଫ ହୋଇଥିବା ବେଳେ ଗୁରୁବାର ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଛି । ୩ ଘଣ୍ଟା ଜେରା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ ଓ ଅଭିଶେକ ମନୁ ସଙ୍ଗଭି ତାଙ୍କ ପାଇଁ ଅନେକ ଯୁକ୍ତି ବାଢିଛନ୍ତି । ଉଭୟପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। କିଛି ସମୟ ମଧ୍ୟରେ ଏହି ରାୟ ପ୍ରକାଶ ପାଇବ ।
ସୂଚନା ଅନୁଯାୟୀ, ଆଜି ନୂଆଦିଲ୍ଲୀର ରୋଜ ଆଭେନ୍ୟୁ କମ୍ପ୍ଲେକ୍ସଠାରେ ଥିବା ସିବିଆଇ କୋର୍ଟରେ ଚିଦାମ୍ବରମଙ୍କୁ ହାଜର କରାଯିବା ପରେ ସେ କୋର୍ଟର ସାଇଜ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ସେ ସିବିଆଇ ଅଧିକାରୀଙ୍କୁ କହିଥିଲେ, ନୂଆ କମ୍ପ୍ଲେକ୍ସରେ କୋର୍ଟ ରୁମ୍ ବହୁତ ଛୋଟ। ମୁଁ ଭାବୁଥିଲି ନୂଆ କୋର୍ଟରେ ବଡ଼ ବଡ଼ ରୁମ ଥିବ। ସବୁଠୁ କୌତୁହଳର ବିଷୟ ହେଲା, ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ଉଦ୍ଘାଟନ କରିଥିବା ସିବିଆଇ ହେଡକ୍ୱାର୍ଟରରେ ବୁଧବାର ତାଙ୍କୁ ରାତି କାଟିବାକୁ ପଡ଼ିଥିଲା । ୨୦୦୮-୧୨ ମସିହା ମଧ୍ୟରେ କଂଗ୍ରେସ ସରକାର ବେଳେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିଲେ । ଜୁନ୍ ୩୦, ୨୦୧୧ରେ ସିବିଆଇ ହେଡକ୍ୱାର୍ଟର ଉଦ୍ଘାଟନୀ ପାଇଁ ସେ ଅତିଥି ହୋଇ ଯାଇଥିଲେ । ତେବେ ବୁଧବାର ରାତିରେ ବହୁ ଘଣ୍ଟାଚକଟା ପରେ ଚିଦାମ୍ବରମଙ୍କୁ ଗିରଫ କରାଯିବା ପରେ ତାଙ୍କୁ ସେହି ସ୍ଥାନରେ ରଖାଯାଇଥିଲା ।