ତିନି ରଥର ଛେରାପହଁରା ନୀତି ସମାପନ କଲେ ଗଜପତି ମହାରାଜା
ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତିନି ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଶଙ୍କରାଚାର୍ଯ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ରଥ ଉପରେ ଛେରାପହଁରା ନୀତି କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।
ପ୍ରଥମେ ଭଳଭଦ୍ରଙ୍କ ତାଳଧ୍ବଜ ରଥରେ ଛେରାପହଁରା କରିଥିଲେ ମହାରାଜା । ପରେ ସୁଭଦ୍ରାଙ୍କ ଦେବଦଳନ ରଥ ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସମାପନ କରିଥିଲେ ମହାରାଜା ଦିବ୍ୟସିଂହ ଦେବ ।
ଦୁଇ ବର୍ଷ କାଳ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ସାଜିଥିଲା କରୋନା । ଦୁଇ ବର୍ଷ ପରେ ଘଣ୍ଟ, ଘଣ୍ଟା, କାହାଳୀ ନାଦରେ ପୁଣି ଦୁଲୁକୁଛି ବଡଦାଣ୍ଡ । ପତିତପାବନ ଯାତ୍ରାରେ ଶରଧାବାଲି ଜନ୍ମବେଦୀକୁ ବିଜେ କରିବେ ଶ୍ରୀଜିଉ । ଲୀଳାମୟ ପୁରୁଷ ଶ୍ରୀଜଗନ୍ନାଥଙ୍କ ଏହି ଗୁଣ୍ଡିଚା ଯାତ୍ରା ଦେଖିବା ପାଇଁ ଲୋକାରଣ୍ୟ ହୋଇ ଉଠିଛି ବଡଦାଣ୍ଡ । ହରିବୋଲ ହୁଳହୁଳି, ଜୟ ଜଗନ୍ନାଥ ଧ୍ବନୀରେ ଗଗନପବନ ମୁଖରିତ ହୋଇଛି ବଡଦାଣ୍ଡ।
ରଥଯାତ୍ରା ପାଇଁ ପୁରୀରେ ଜନସମାଗମକୁ ଦୃଷ୍ଟିରେ ରଖି ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।