ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

0

ଆଜି ପବିତ୍ର ସ୍ନାନଯାତ୍ର ଓ ହାତୀବେଶ। ଜଗତରନାଥ ଶ୍ରୀଜଗନ୍ନାଥଙ୍କ ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଛନ୍ତି । ଶ୍ରୀମନ୍ଦିର ପରିସର ସୁନା କୂଅରୁ ୧୦୮ କଳସ ଜଳ ଅଣାଯାଇ ଅଭିମନ୍ତ୍ରିତ ଓ ସୁବାସିତ କରାଯିବା ପରେ ଏଥିରେ ମହାପ୍ରଭୁଙ୍କ ଦିବ୍ୟସ୍ନାନ କରାଯିବ । ପରେ ମହାପ୍ରଭୁଙ୍କ ଦେବଦୁର୍ଲଭ ହାତୀବେଶ ଅନୁଷ୍ଠିତ ହେବ ।

ଶନିବାର ଭୋର୍ ୫ଟାରୁ ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ ହୋଇଛି। ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି । ଦିନ ୧୨ଟା ୨୦ରୁ ୧ଟା ୪୫ ଭିତରେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଅନୁଷ୍ଠିତ ହେବ । ଦିନ ୩ଟାରେ ଛେରା ପହଁରା, ୩ଟା ୪୦ରେ ହାତୀବେଶ ଓ ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯିବାକୁ ନୀତି ନିର୍ଘଣ୍ଟ କରାଯାଇଛି । ବାହୁଡ଼ା ପହଣ୍ଡି ରାତି ସାଢ଼େ ୧୧ଟାରୁ କରାଯିବ ।

ସ୍ନାନଯାତ୍ରା ପାଇଁ ପୁଲିସ, ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୬୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୨୬ ଜଣ ମାଜିଷ୍ଟ୍ରେଟ ମୁତୟନ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାରେ ସ୍ନାନଯାତ୍ରା ସମାପନ ନିମନ୍ତେ ଦୃଷ୍ଟି ଦେଉଛନ୍ତି । ଶ୍ରୀମନ୍ଦିର, ବଡ଼ଦାଣ୍ଡ, ଶ୍ରୀମନ୍ଦିର ସଂଲଗ୍ନ ବିଭିନ୍ନ ସାହି, ସମୁଦ୍ରକୂଳ ରାସ୍ତା, ପୁରୀ ଭୁବନେଶ୍ୱର ରାଜପଥ, ତୀର୍ଥ ପୁଷ୍କରଣୀ ପ୍ରଭୃତି ବିଭିନ୍ନ ସ୍ଥାନରେ ଯାତ୍ରୀ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ଓ ମାଜିଷ୍ଟ୍ରେଟ ମୁତୟନ ହୋଇଛନ୍ତି । ସେହିପରି ପ୍ରଚଣ୍ଡ ଗୁଳୁଗୁଳିରୁ ଆଶ୍ୱସ୍ତି ଦେବା ନିମନ୍ତେ ତଥା ଶ୍ରଦ୍ଧାଳୁଙ୍କ ଉପରେ ପାଣି ସିଞ୍ଚନ କରିବାକୁ ଅଗ୍ନିଶମ ଓ ୱାଟକୋ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଶ୍ରଦ୍ଧାଳୁମାନେ ବିଭିନ୍ନ ରାସ୍ତା ଦେଇ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ି ପାର୍କିଂ କରି ବଡ଼ଦାଣ୍ଡରେ ପହଞ୍ଚିବେ । ପରେ ମାର୍କେଟ ଛକରୁ ବ୍ୟାରିକେଟ ଯୋଗେ ଶ୍ରୀମନ୍ଦିର ସିଂହଦ୍ୱାର ହୋଇ ଶ୍ରୀମନ୍ଦିରରେ ପ୍ରବେଶ କରି ଠାକୁରଙ୍କୁ ଦର୍ଶନ କରିବେ । ଠାକୁରଙ୍କ ପହଣ୍ଡି ପରେ ଏହି ଦର୍ଶନ ବ୍ୟବସ୍ଥାର ସୁଯୋଗ ମିଳିବ । ନଚେତ୍ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ଠିଆ ହୋଇ ମଧ୍ୟ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ଦର୍ଶନ ଲାଭ କରିହେବ । ସ୍ନାନ ଯାତ୍ରା ଦେଖିବାକୁ ବସ୍ ଓ ଟ୍ରେନ୍ରେ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଆସିବେ । ତେଣୁ ଶନିବାର ବସ୍ ଓ ଟ୍ରେନ୍ରେ ଓଭରଲୋଡ଼ିଂ ସ୍ଥିତି ଉପୁଜିବା ଆଶଙ୍କା ରହିଛି । ଏହାକୁ ନିୟନ୍ତ୍ରଣ କରିବାକୁ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୩ଟି ସ୍କ୍ୱାଡ୍ ଗଠନ ହୋଇଛି । ଏହି ସ୍କ୍ୱାଡ୍ ପୁରୀ-ଭୁବନେଶ୍ୱର, ପୁରୀ-କୋଣାର୍କ ଓ ପୁରୀ-ବ୍ରହ୍ମଗିରି ରାଜପଥରେ ଓଭରଲୋଡ଼ିଂ ବ୍ୟବସ୍ଥାକୁ ତଦାରଖ କରିବେ । ସେହିପରି ରେଲୱେ ବିଭାଗ ପକ୍ଷରୁ ଓଭରଲୋଡ଼ିଂ ଉପରେ ନଜର ରଖିବାକୁ ଆର୍ପିଏଫ୍କୁ ଦାୟିତ୍ୱ ଦିଆଯାଇଛି ।

Leave a comment