ରଥଖଳା: ଚକ ଓ ଅଖ ପ୍ରସ୍ତୁତ, ସଂଯୁକ୍ତ ପାଇଁ ଆଜ୍ଞାମାଳକୁ ଅପେକ୍ଷା

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଯୁଦ୍ଧକାଳୀନ ଭିତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଗୁରୁବାର ଠାରୁ ପ୍ରସ୍ତୁତ ରହିଛି ନାହାକା ଚକ ଓ ଅଖ। ରଥ ତ୍ରୟ ପାଇଁ ତିନୋଟି ନାହାକା ଅଖ ଓ ୬ ଗୋଟି ଚକ ତିଆରି ସରିଛି। ଠାକୁରଙ୍କ ଆଜ୍ଞାମାଳ ଲାଗି ପୂର୍ବରୁ ଏହା ସଂଯୁକ୍ତ ହେବ। ରଥ ଖଳାରେ ବିଶ୍ୱକର୍ମାମାନେ ଯୋକା କାମ ଆରମ୍ଭ କରିଛନ୍ତି।
ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୬ଟି ଯୋକା ଓ ଦେବୀ ରଥରେ ୧୨ଟି ଯୋକା ସ୍ଥାପନ ହେବ। ଏପଟେ ରଥ ଖଳାରେ ରଥ ଚକ ପ୍ରସ୍ତୁତ ହୋଇଛି। ବିଶ୍ୱକର୍ମାଙ୍କ ଇସାରାରେ ଭୋଇସେବକମାନେ ବିଲେଇ ବାଡିଆ ପଦ୍ଧତିରେ ଅର ଓ ପହିକୁ ସଂଯୋଗ କରୁଛନ୍ତି। ପହିର ବିନ୍ଧରେ କୀଳା ଦେଇ ଅର ସହିତ ଟାଇକ କରି ବାଡିଆ ହୋଇଥିଲା। ଯନ୍ତ୍ରାପଟାରେ ପଡି ସିଙ୍ଗଡ଼ାକୁ ପହି ପିନ୍ଧା ଗଲାପରେ ଖୁସିଅର ଲଗାଇଯାଇଛି। ପରେ କଳସା କରାଯାଇ ପହିକୁ ଖାପରେ ବାନ୍ଧେଣୀ କରି ଚକ ପ୍ରସ୍ତୁତ କରାଯାଇଛି। ଅଭିଜ୍ଞ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ଚକ ତିଆରି କାମ।
ସେହିପରି ରଥ ଚାଳିରେ ରଥର ଗୁଜ, କୁଡୁକା, ଜଳଯନ୍ତ୍ର ଆଦି କାମ ଚାଲିଛି। ରୂପକାରମାନେ ଗୁଜରେ ସିଂହ ବିରାଳ ଖୋଦେଇ କରୁଛନ୍ତି। ଜଳଯନ୍ତ୍ର ରଥରେ ସ୍ଥାପନ ହେଲେ ପାର୍ଶ୍ୱ ଦେବଦେବାମାନ ବିଜେ ହେବେ। ଗୁଜ ଖୁମ୍ଭ ସ୍ୱରୁପ ରଥର କୋଣମାନଙ୍କରେ ସ୍ଥାପିତ ହେବ। ତାଳଧ୍ୱଜ ଓ ନନ୍ଦିଘୋଷ ରଥ ୧୬ଟି ଲେଖାଏଁ ଓ ଦେବଦଳନ ରଥର ୧୨ଚି ଗୁଜ ରହିଛି। ଗୁଜ ହେଉଛି ରଥର ସୁରକ୍ଷା କବତ ସଦୃଶ। ଡ୍ରିଲ୍ ମେସିନ୍ ଦ୍ୱାରା ତୁମ୍ବର ମଝିରେ ଇନ୍ଧ୍ର କରାଯାଉଛି। ଓଝା ସେବକ ଯୋଗାଉଥିବା ବଳାକୁ ତୁମ୍ବର ବାହାର ପାଶ୍ୱରେ ଓ ପନ୍ଦାରିକୁ ତୁମ୍ବର ମଧ୍ୟସ୍ଥଳରେ ଲଗାଯାଇ ଚକ ପ୍ରସ୍ତୁତ ହେଉଛି। ଦୋଳବେଦି ଶାଳରେ ଓଝାସେବକମାନେ ଚକ ପାଇଁ ପନ୍ଦାରି ଓ ବଳା ନିର୍ମାଣ ସାରୁଛନ୍ତି।