ସ୍ଥାନ ଅନୁଯାୟୀ ବେଶ ବଦଳାଉ ଥିଲା, ପଢନ୍ତୁ ଚୋରର ଫଣ୍ଡା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚୋରି କରିବା ପାଇଁ ଚୋର ବ୍ୟବହାର କରୁଥିଲେ ଅଭିନବ ପନ୍ଥା । ସ୍ଥାନ ଅନୁସାରେ ବଦଳୁଥିଲା ରୂପ । କିନ୍ତୁ ସବୁ ସ୍ଥାନରେ କାମ ଥିଲା ଗୋଟିଏ ତାହାହେଲେ ଗାଡି ଚୋରି । କେତେବେଳେ ଓକିଲ ହୋଇ ତ କେତେବେଳେ ରୋଗୀ ହୋଇ କରିଚାଲିଥିଲା ଗାଡି ଚୋରି । ଏଭଳି ଘଟଣା ଘଟିଛି ରାଜଧାନୀରେ ।
ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ଲଗାତାର ଭାବେ ବଢିଚାଲିଥିଲା ଗାଡି ଚୋରି । ପୋଲିସର ସତଚେଷ୍ଟା ପରେ ମଧ୍ୟ ଚୋରକୁ ଧରିବାରେ ସଫଳ ହୋଇପାରିନଥିଲା ପୋଲିସ । କାରଣ ଚୋର ଭିନ୍ନ ଢଙ୍ଗରେ କରୁଥିଲା ଚୋରି । ସ୍ଥାନ ଦେଖି ନିଜ ବେଶ ବଦଳୁଥିଲା । ଏଭଳି ଏକ ଚୋରକୁ ଧରିବାରେ ସକ୍ଷମ ହୋଇଛି ବଡଗଡ ଥାନା ପୋଲିସ । ସିସି ଟିଭି ଚିତ୍ର କୁ ଆଧାର କରି ପୋଲିସ ଧରିଛି ଏହି ଚୋରକୁ । ଏହି ବ୍ୟକ୍ତି ର ନାମ ଶଶୀଭୂଷଣ ଦାସ । ସେ ତହସିଲ ଅଫିସ, କୋର୍ଟ ଓ ମେଡ଼ିକଲାକୁ ମୁଖ୍ୟତଃ ଟାର୍ଗେଟ କରୁଥିଲା । ତହସିଲ ଅଫିସ ଓ କୋର୍ଟ କୁ ଓକିଲ ବେଶରେ ଯାଉଥିବା ବଡ଼ଲେ ହସ୍ପିଟାଲକୁ ଯାଉଥିଲା ରୋଗୀ ବେଶରେ । ସେଠାରେ ପୂର୍ବରୁ ତାର ଏକ ସହଯୋଗୀ ଉପସ୍ଥିତ ରହି ଗାଡି ସମ୍ୱନ୍ଧରେ ଖବର ଦେଉଥିଲା । ସୁବିଧା ସୁଯୋଗ ଦେଖି ୨ ରୁ ୩ ମିନିଟ ମଧ୍ୟରେ କାମସାରି ଗାଡ଼ି ନେଇ ଚମ୍ପଟ ମାରୁଥିଲା ଶଶୀଭୂଷଣ । ତେଣୁ ଲୋକେ ତାଙ୍କ ଉପରେ ସନ୍ଦେହ କରିପାରୁନଥିଲେ ।ଗତକାଲି ପୋଲିସ ଶଶୀଭୂଷଣ ଓ ତାଙ୍କ ସହଯୋଗୀଙ୍କ ସହ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୪୬ ଟି ବାଇକ ଜବତ ହୋଇଛି ।