୮ ସାଂସଦଙ୍କ ବିପକ୍ଷରେ ଜିତିଲେ ଧର୍ମେନ୍ଦ୍ର, ସମୀର ହେଲେ ରାଜ୍ୟ ବିଜେପି ସଭାପତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମସ୍ତ କଳ୍ପନାର ଅନ୍ତ ଘଟାଇ ବାଜି ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମର୍ଥିତ ପ୍ରାର୍ଥୀ ସମୀର ମହାନ୍ତି । ୮ ସାଂସଦଙ୍କ ବିପକ୍ଷରେ ଜିତିଲେ ଧର୍ମେନ୍ଦ୍ର । ସମୀର ହେଲେ ନୂତନ ରାଜ୍ୟ ବିଜେପି ସଭାପତି । ରାଜନୀତିରେ ‘ଘଡିକେ ଘୋଡା ଛୁଟେ’ ଏହା ରାଜ୍ୟ ବିଜେପି ସଭାପତି ଚୟନରୁ ପ୍ରମାଣିତ ହୋଇଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଗତକାଲି ରାଜ୍ୟ ବିଜେପି ସଭାପତି ଭାବେ ପୃଥ୍ୱୀରାଜଙ୍କ ନାଁ ଚର୍ଚ୍ଚାରେ ଥିବାବେଳେ ହଠାତ ରାତି ଅଧରେ ବଦଳି ଯାଇଛି ସମୀକରଣ । ଏହା ପଛରେ ଏକ ବଡ ରାଜନୈତିକ ଦବଦବା ପ୍ରମାଣିତ ହୋଇଛି । କାରଣ କିଛିଦିନ ହେବ ବିଜେପି ଦଳ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ କମୁଥିବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ପତିଆରା ବଢୁଥିବା ନେଇ ଓଡିଶା ରାଜନୀତି ସରଗରମ ଥିଲା । ଯାହାକି କେନ୍ଦ୍ରମନ୍ତ୍ରୀ ଭୁଲ ପ୍ରମାଣିତ କରିଛନ୍ତି । ଆଜି ସମୀର ମହାନ୍ତି ଏକାକୀ ରାଜ୍ୟ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେଣୁ ସନ୍ଧ୍ୟା ୫.୩୦ ପରେ ତାଙ୍କ ନାମରେ ନୂତନ ସଭାପତି ଭାବେ ମୋହର ମରା ଯାଇଥିଲା ।

ଏପରିକି ସାଂସଦ ମାନଙ୍କ ମଧ୍ୟରେ ଅପରାଜିତା ଷଢଙ୍ଗୀ, ପ୍ରତାପ ଷଢଙ୍ଗୀ, ଜ୍ଵଏଲ ଓରାମ ଓ ସୁରେଶ ପୂଜାରୀ ପ୍ରମୁଖ ସମୀର ମହାନ୍ତିଙ୍କ ରାଜ୍ୟ ବିଜେପି ସଭାପତି ପ୍ରାର୍ଥୀତ୍ୱକୁ ନେଇ ସନ୍ତୁଷ୍ଟ ନଥିବା ବେଳେ ପଶ୍ଚିମ ଓଡ଼ିଶା ପକ୍ଷରୁ ମଧ୍ୟ ସମୀରଙ୍କୁ ଘୋର ବିରୋଧ କରାଯାଉଥିଲା ।

ସୂଚନା ଅନୁଯାୟୀ, କିଛିଦିନ ତଳେ ରାଜ୍ୟରେ ଦୁଇଟି ଅଣରାଜନୈତିକ ସଂଗଠନର ଦାୟିତ୍ୱ ସାଂସଦ ଅପରାଜିତଙ୍କୁ ଦିଆଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ ବିଜେପି ଦଳରେ କାମୁଥିବା ନେଇ ଚର୍ଚ୍ଚା ଚାଲିଥିଲା । ଏପରିକି ପ୍ରଧାନମନ୍ତ୍ରୀ ମୋଦି ଧର୍ମେନ୍ଦ୍ରଙ୍କ ଅପେକ୍ଷା ସାଂସଦ ଅପରାଜିତଙ୍କୁ ଅଧିକ ପ୍ରାଧାନ୍ୟ ଦେଉଥିବା ଦଳୀୟ କର୍ମୀଙ୍କୁ ରାଜନୈତିକ ଚର୍ଚ୍ଚା ପାଇଁ ଖୋରଗ ଯୋଗାଇଥିଲା । ମାତ୍ର ଏହାକୁ ଭୁଲ ପ୍ରମାଣିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ତାଙ୍କ ସମର୍ଥିତ ପ୍ରାର୍ଥୀ ସମୀର ମହାନ୍ତିଙ୍କୁ ମିଳିଲା ରାଜ୍ୟ ବିଜେପି ସଭାପତି ଦାୟିତ୍ବ । ରାଜ୍ୟର ବିଜେପିର ୮ସାଂସଦ ଧର୍ମେନ୍ଦ୍ରଙ୍କ ବିରୁଦ୍ଧରେ ଯାଇ ପୃଥ୍ୱୀରାଜଙ୍କୁ ରାଜ୍ୟ ବିଜେପି ସଭାପତି ଭାବେ ଚୟନ କରିବାକୁ ସ୍ଥିର କରିଥିଲେ ମଧ୍ୟ ରାତାରାତି ବଦଳି ଗଲା ସମୀକରଣ । ଦଳ ମଧ୍ୟରେ ନିଜ ଦବଦବା ଜାହିର କଲେ କେନ୍ଦ୍ରମନ୍ତ୍ରୀ । ସେ ନିଜ ପ୍ରାର୍ଥୀକୁ ରାଜ୍ୟ ବିଜେପି ସଭାପତି ଭାବେ ନିର୍ବାଚିତ କରାଇ ବିରୋଧୀଙ୍କୁ ଚୁପ କରିଦେଇଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

Leave a comment