ଏଣିକି +୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ

0

୨୦୨୩ ଯୁକ୍ତଦୁଇ ପରୀକ୍ଷା ପରିଚାଳନାକୁ ଅଧିକ କଡାକଡି କରାଯିବ । ପରୀକ୍ଷାରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ମେଧାବୀ ପରୀକ୍ଷାର୍ଥୀ ଯେପରି ସଠିକ ମାର୍କ ପାଇବେ ସେଥିଲାଗି ପ୍ରାଥମିକସ୍ତରରୁ ବ୍ୟବସ୍ଥାକୁ କଡାକଡି କରିବାକୁ +୨ ପରିଷଦ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ତେବେ ଚଳିତବର୍ଷ ପରୀକ୍ଷାରେ ସମସ୍ତ ପରୀକ୍ଷାକେନ୍ଦ୍ରରେ ସିସି ଟିଭିକୁ ବାଧ୍ୟତାମୂଳକ କରାଯାଇଛି ।

ଏ ନେଇ ଗତବର୍ଷ ନଭେମ୍ବରରେ ସମସ୍ତ କଲେଜକୁ ଅବଗତ କରାଯାଇଥିବା ବେଳେ ଡିସେମ୍ବର ୩୦ତାରିଖ ସୁଦ୍ଧା ସିସିକ୍ୟାମେରା ନଥିବା ଶିକ୍ଷାନୁଷ୍ଟାନକୁ ମହଲତ ଦିଆଯାଇଥିଲା । ତେବେ ଡିସେମ୍ବର ୩୧ପରେ ଜୋନୱାରୀ ହୋଇଥିବା ଯାଞ୍ଚ ରିପୋର୍ଟରେ ରାଜ୍ୟର ୪ଟି ଜୋନରେ ୪୬୧ଟି କଲେଜରେ ସିସି ଟିଭି ନଥିବା ଦର୍ଶାଯାଇଥିଲା । ଏପରିକି ଅନେକ କେନ୍ଦ୍ରରେ ପୂର୍ବରୁ ଥିବା ସିସି ଟିଭି ଅଚଳ ହୋଇଥିବା ଜଣାପଡ଼ିଥିଲା । ତେଣୁ ଜାନୁଆରୀ ୧୩ତାରିଖ ସୁଦ୍ଧା ସବୁ କଲେଜରେ ସିସିଟିଭି ଇନଷ୍ଟଲ ହେବା ସହ ଜାନୁଆରୀ ୨୫ତାରିଖ ସୁଦ୍ଦା ଯେପରି ସମସ୍ତ କ୍ୟାମେରା କାର୍ଯ୍ୟକ୍ଷମ ହେବ ସେଥିଲାଗି +୨ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

+୨ ପରିଷଦର ଜଣେ ବରିଷ୍ଟ ଅଧିକାରୀଙ୍କ କହିବା ଅନୁସାରେ +୨ ଥିଓରୀ ପରୀକ୍ଷା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୧ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଅନୁଷ୍ଠିତ ହେବ । ପରୀକ୍ଷା ପରିଚାଳନାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ସିସିଟିଭି ଉପରେ ଗୁରୁତ୍ୱ ଦିଆଯାଉଛି । ୪୬୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିଅର କଲେଜରେ ସିସିଟିଭି ନଥିବାରୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ଅଧ୍ୟକ୍ଷଙ୍କୁ ସିସିଟିଭି ଲଗାଯିବା ବିଷୟରେ ପରିଷଦ ଚେତାବନୀ ଦେଇଛି । ୧୩ ତାରିଖ ସୁଦ୍ଧା ସିସିଟିଭି ଲଗାଇବା ଏବଂ ସ୍ଥିତି ସମ୍ପର୍କରେ ନ ଜଣାଇଲେ +୨ ପରିଷଦ ପକ୍ଷରୁ ଏ ସମ୍ପର୍କରେ ଗଣଶିକ୍ଷା ବିଭାଗକୁ ଅବଗତ କରାଯିବା ସହ ସମ୍ପୃକ୍ତ କଲେଜ ବିରୋଧରେ ଅଭିଯୋଗ ମଧ୍ୟ କରାଯିବ । ରାଜ୍ୟରେ ୨୦୬୫ଟି ଜୁନିୟର କଲେଜ ରହିଥିବା ବେଳେ ଏଥର ୧୧୫୦ରୁ ଅଧିକ କଲେଜକୁ କେନ୍ଦ୍ର ଭାବେ ମନୋନୀତ କରାଯିବ । ପରୀକ୍ଷାକେନ୍ଦ୍ର, ଲାବୋରେଟୋରୀ ସମେତ ପରୀକ୍ଷା ପରିଚାଳନା ହବର ଷ୍ଟ୍ରଙ୍ଗରୁମ୍ ଆଦିରେ ସିସିଟିଭି ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା ୧୩ ତାରିଖ ସୁଦ୍ଧା ସିସିଟିଭି ସ୍ଥାପନ କରି ସାମ୍ସ ଇ-ସ୍ପେସରେ ଶିକ୍ଷାନୁଷ୍ଠାନର ସ୍ଥିିତି ଅପଡେଟ୍ କରିବାକୁ କୁହାଯାଇଛି । ଏଥିରେ ବିଫଳ ହେଲେ ସରକାରଙ୍କ ଦୃଷ୍ଟିକୁ ଏ ବିଷୟ ଅଣାଯିବ ବୋଲି ଚେତାଇ ଦିଆଯାଇଛି । ସେହିପରି ଯେଉଁ କଲେଜରେ ସିସି ଟିଭି ଅଚଳ ହୋଇପଡିଛି ସେ ସବୁକୁ ୨୫ତାରିଖ ସୁଦ୍ଧା ସଜାଡି ରିପୋର୍ଟ ଦାଖଲ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଯଦି ସିସି ଟିଭି ନଥାଏ କିମ୍ବା ଅଚଳ ହୋଇ କାର୍ଯ୍ୟକ୍ଷମ ହେଉନଥିବା ଅଭିଯୋଗ ହୁଏ ତେବେ ସମ୍ପୃକ୍ତ କଲେଜକୁ ଟ୍ୟାଗ୍ ତାଲିକାରୁ ବାଦ୍ ଦିଆଯିବ ଏବଂ ସମ୍ପୃକ୍ତ କଲେଜର ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି +୨ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a comment