ସୁପ୍ରିମକୋର୍ଟରେ ସିବିଆଇ କଳି, ୨ସପ୍ତାହ ମଧ୍ୟରେ ତଦନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦେଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ସିବିଆଇ କଳି ସୁପ୍ରିମକୋର୍ଟ ରେ ପହଞ୍ଚିବା ପରେ ଆଜି ସୁପ୍ରିମକୋର୍ଟ ସିବିଆଇ ନିର୍ଦେଶକ ଙ୍କ ବିରୁଦ୍ଧରେ ଚାଲିଥିବା ତଦନ୍ତ ୨ସପ୍ତାହ ମଧ୍ୟରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ବର୍ତ୍ତମାନର କାମଚଳା ନିର୍ଦେଶକ ଏମ ନାଗେଶ୍ୱର ରାଓ ଙ୍କୁ କେବଳ ରୁଟିନ କାର୍ଯ୍ୟ ସମ୍ପାଦନ କରିବା ସହ କୌଣସି ପ୍ରକାର ନୀତିଗତ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା, ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଙ୍କ ମଧ୍ୟରେ ଲାଞ୍ଚ କାରବାରକୁ ନେଇ ଚାଲିଥିବା ଘଟଣା ଲୋକଲୋଚନକୁ ଆସିବା ପରେ କେନ୍ଦ୍ର ସରକାର ସବୁଆଡୁ ନିନ୍ଦିତ ହେବାପରେ ସିଭିସି ଙ୍କ ପରାମର୍ଶ କ୍ରମେ ଉଭୟଙ୍କୁ ଛୁଟିରେ ଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର ସରକାର ଏହି ଘଟଣାର ତଦନ୍ତ ସିଭିସି କରିବା ସହ ସାମୟିକ ଭାବରେ ଏମ ନାଗେଶ୍ୱର ରାଓ ଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେଇଥିଲେ । କିନ୍ତୁ ଆଲୋକ ବର୍ମା ନିଜ ଅପସାରଣକୁ ବିରୋଧ କରିବା ସହ ଏମ ନାଗେଶ୍ୱର ରାଓ ଙ୍କ ସାମୟିକ ନିଯୁକ୍ତି କୁ ସୁପ୍ରିମକୋର୍ଟ ରେ ଚେଲେଞ୍ଜ କରିଥିଲେ । ଆଜି ଆଲୋକ ବର୍ମାଙ୍କ ଅଭିଯୋଗ ର ଶୁଣାଣି କରି ସୁପ୍ରିମକୋର୍ଟ ର ତିନି ଜଣିଆ ବେଞ୍ଚ ସିଭିସି ଙ୍କୁ ୨ସପ୍ତାହ ମଧ୍ୟରେ ତଦନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି
ଜଷ୍ଟିସ ଅନଙ୍ଗ ଉଦୟ ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ସିଭିସି ଏହି ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ତାଙ୍କ ରାୟ ରେ ସ୍ପଷ୍ଟ କରିଛନ୍ତି । ଏହା ସହ ବର୍ତ୍ତମାନର କାମଚଳା ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓ କେବଳ ରୁଟିନ ୱାର୍କ କରବା ସହ କୌଣସି ବଡ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କହିଛନ୍ତି । ଯଦି ବର୍ତ୍ତମାନର ନିର୍ଦେଶକ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତି ତାହାଲେ ତାହାକୁ ଏକ ବନ୍ଦ ଲଫାପା ରେ କୋର୍ଟ କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୨ ତାରିଖକୁ ସୁପ୍ରିମକୋର୍ଟ ରଖିଛନ୍ତି । କିନ୍ତୁ ଏପଟେ ସିବିଆଇ କନ୍ଦଳ କୁ ନେଇ ସାରା ଦେଶରେ ଆଜି କଂଗ୍ରେସ କର୍ମୀ ମାନେ ସମସ୍ତ ରାଜ୍ୟର ସିବିଆଇ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ଆଜି ଦିଲ୍ଲୀ ରେ ରାହୁଲ ଗାନ୍ଧୀ ଙ୍କ ନେତୃତ୍ୱରେ କଂଗ୍ରେସ ତରଫରୁ ସିବିଆଇ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲାବେଳେ ରାହୁଲଙ୍କୁ ଗିରଫ କରାଯାଇ ପରେ ଛାଡି ଦିଆଯାଇଛି । ଏହି ଘଟଣା କ୍ରମେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକ ନେତୃତ୍ୱରେ ସିବିଆଇ ଅଫିସ ଘେରାଉ କରାଯିବା ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜୁଜନତା ଦଳ ଏବଂ ବିଜେପି ର ସମ୍ପର୍କ ଭାଇ ଭାଇ ର ବୋଲି କହିଛନ୍ତି । ଉଭୟ ଉଭୟଙ୍କୁ ସାହାଯ୍ୟ କରିଥାନ୍ତି ବୋଲି ନିରଞ୍ଜନ କହିଛନ୍ତି । ଏହି ଘଟଣା କୁ ନେଇ ବିଜେଡି କି ମୁଖ୍ୟମନ୍ତ୍ରୀଙ୍କର ପାଟି ଫିଟୁନି ବୋଲି କହିଥିବାବେଳେ ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ଚୁପ ରହିବାକୁ ଉଚିତ ମଣୁଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଛନ୍ତି।