ସରିଲା ରଥକାଠ ପୂଜା, ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷ ରଥଯାତ୍ରା ପାଇଁ ପୂଜା ହେଲା ରଥକାଠ । ଏସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ କୁମାର କହିଛନ୍ତି, ” ବସନ୍ତ ପଞ୍ଚମୀ ପରି ପବିତ୍ର ଦିନରେ ଆମର ପରମ୍ପରା ଅନୁସାରେ ଏବର୍ଷ ରଥଯାତ୍ରା ଆସି ପହଞ୍ଚିଥିବା ରଥକାଠର ପୂଜା ହୋଇଛି । ଆମେ ଏବେ ଅକ୍ଷୟ ତୃତୀୟାରେ ରଥ କାମ କେମିତି ଆରମ୍ଭ ହେବ ତାପାଇଁ ପ୍ରସ୍ତୁତ ହେଉଛୁ । ଆମର ଆଶା ଅଛି ଭୋଇ ସେବକ, ମହାରଣା ସେବକ ଏବଂ ସମସ୍ତ ସେବକ ବନ୍ଧୁଙ୍କ ସହଯୋଗରେ ଏବର୍ଷର ରଥ ନିର୍ମାଣ କାର୍ଯ୍ୟକ୍ରମ ଅକ୍ଷୟ ତୃତୀୟା ଦିନରୁ ଆରମ୍ଭ ହେବ । ଏବଂ ସରକାରଙ୍କ ଦ୍ଵାରା ଜାରି ହୋଇଥିବା କୋଭିଡ଼ି ଗାଇଡ଼ ଲାଇନ ପାଳନ କରି ରଥ ନିର୍ମାଣ କାର୍ଯ୍ୟ ଜାରି ରହିବ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସମସ୍ତ ସେବକମାନଙ୍କ ସହଯୋଗରେ ନିର୍ଦ୍ଧାରିତ ସମୟ ମଧ୍ୟରେ ରଥନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆମେ ଆଶା କରୁଛୁ “।

ସେହିପରି ଜଗନ୍ନାଥଙ୍କ ଦର୍ଶନ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଡାକ୍ତର କ୍ରିଷନ କୁମାର କହିଛନ୍ତି ଯେ, ଫେବ୍ରୁଆରୀ ୧ ତାରିଖରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯାଇଛି । ସରକାର ଜାରି କରିଥିବା ଏସଓପି ଅନୁସାରେ ପ୍ରତିଦିନ ପ୍ରାୟ ୨୦,୦୦୦ ଭକ୍ତ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି ।

ଅପରପକ୍ଷରେ ରଥଯାତ୍ରାରେ ଭକ୍ତଙ୍କୁ ଅନୁମତି ମିଳିବା ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମତ ପ୍ରକାଶ କରିଛନ୍ତି କି, ୧୭ ତାରିଖ ପରେ କଟକଣା କୋହଳ ହେବ କି କଟକଣା ବଢିବ ତାହା ରାଜ୍ୟରେ କୋଭିଡ଼ି ପରିସ୍ଥିତି ଦେଖି ସରକାର ନିଷ୍ପତ୍ତି ନେବେ । ଯଦି ସବୁକିଛି ଠିକ ରୁହେ ଏବଂ କୋଭିଡ଼ି ନିୟନ୍ତ୍ରଣରେ ରୁହେ ତେବେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଭକ୍ତଙ୍କୁ ରଥଯାତ୍ରା ଦେଖିବାକୁ ଅନୁମତି ମିଳିବା ନେଇ ସମସ୍ତେ ଆଶାବାଦୀ ।

ସୂଚନା ଅନୁଯାୟୀ, ବିଗତ ଦୁଇବର୍ଷ ଧରି କରୋନା ମହାମରୀ ଭଳି ଭୟଙ୍କର ପରିସ୍ଥିତିରେ ନିଷ୍ଠାର ସହିତ ନିଜ ଦାୟିତ୍ୱ ତୁଲାଇବା ସହ ସମସ୍ତ ସେବାୟତଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇ ସୁରୁଖୁରୁରେ ରଥଯାତ୍ରା ସମ୍ପର୍ଣ୍ଣ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଖୁବ ପ୍ରଶଂସା ସାଉଁଟି ଥିଲେ । ତେଣୁ ଏବର୍ଷ ମଧ୍ୟ ସେ ନିଜ ଦାୟିତ୍ୱ ଭଲଭାବରେ ସମ୍ପାଦନ କରିବା ନେଇ ସେବାୟତ ମାନେ ଆଶା ରଖିଥିବା ପ୍ରକାଶ କରିଛନ୍ତି ।

ସେହିପରି ଗତକାଲି ଜନୈକ ଦାତା ଶ୍ରୀପଞ୍ଚମୀ ପରି ଶୁଭ ଦିନରେ ମା’ ମହାଲଷ୍ମୀଙ୍କ ଉଦେଶ୍ୟରେ ସୁନା ଅଳଙ୍କାର ଦାନ କରିଛନ୍ତି । ଏହି ଅଳଙ୍କାରରେ ୧ ହଳ ପେଣ୍ଡି ଏବଂ ଗୋଟିଏ ହାର ରହିଛି । ଏଥିରେ ସମୁଦାୟ ୧୦୨ ଗ୍ରାମ ସୁନା ବ୍ୟବହାର ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ସେ ଏହି ଦାନ କରିଛନ୍ତି ।

Leave a comment