ମନ୍ତ୍ରି ପରିଷଦ ବୈଠକ: ପୂର୍ଣ୍ଣାଙ୍ଗ ବଜେଟ ଅନୁମୋଦିତ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବଗଠିତ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୨-୨୩ ଆର୍ଥିକବର୍ଷ ପାଇଁ ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଚଳିତବର୍ଷ ପାଇଁ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ପାଇଁ ପ୍ରସ୍ତାବ ରହିଥିବାବେଳେ ଗତ ଅଧିବେଶନ କାଳରେ ୪ ମାସ ପାଇଁ ପ୍ରାୟ ୧ଲକ୍ଷ ୬ହଜାର କୋଟି ଟଙ୍କାର କାମଚଳା ବଜେଟକୁ ବିଧାନସଭାରେ ପାରିତ କରାଯାଇଥିଲା।

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ୨୦୨୨-୨୩ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରାଯିବା ସମ୍ଭବ ନହେବାରୁ ଗତ ମାର୍ଚ୍ଚ ୩୦ରେ ସରକାରଙ୍କ ପକ୍ଷରୁ କାମଚଳା ବଜେଟ ଆଗତ କରାଯାଇଥିଲା। ଏହାର ଅବଧି ଜୁଲାଇ ଶେଷ ପର୍ଯ୍ୟନ୍ତ ଥିବାରୁ ଏହାପୂର୍ବରୁ ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ ଜୁଲାଇ ୨ରେ ଅନୁଷ୍ଠିତ ହେବାକୁ ରହିଛି। ସୂଚନା ଅନୁଯାୟୀ ବଜେଟର ଆକାର ବଢିଥିଲେ ହେଁ କେତେକ ବିଭାଗର ବ୍ୟୟବରାଦ କାଣ୍ଟଛାଟ୍ ଏବଂ ଆଉ କେତେକ ବିଭାଗର ବ୍ୟୟବରାଦ୍ ବଜେଟ ପରିମାଣ ବଢ଼ିଛି। ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର କୃଷି, ଶିଳ୍ପ, ମିଶନଶକ୍ତି, ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗର ବଜେଟ ଆକାର ବଢ଼ାଇବାକୁ ସ୍ଥିର କରିଥିବାବେଳେ ସାଧାରଣ ଉଦ୍ୟୋଗ ଭଳି କେତେକ ବିଭାଗର ବଜେଟ୍ ପରିମାଣ ହ୍ରାସ ପାଇବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ କୃଷି ବିଭାଗ ପକ୍ଷରୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ପୂର୍ବରୁ ୬ହଜାର ୨୭୬.୧୨କୋଟି ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଲାଗି ୧୬୫୭.୫୪କୋଟି ଟଙ୍କାର ବ୍ୟୟବରାଦ ଆକଳନ କରାଯାଇଥିଲା। ମାତ୍ର ଆଗାମୀ ଦିନରେ ବିଭାଗର ଗୁରୁତ୍ବକୁ ଦୃଷ୍ଟିରେ ରଖି ଆଉ ପ୍ରାୟ ଦେଢ଼ଶହ କୋଟି ଟଙ୍କା ବୃଦ୍ଧି କରାଯିବାକୁ ରହିଛି। ସେହିପରି ଆଗାମୀ ଦିନରେ ଶିଳ୍ପର ବିକାଶ ଲାଗି ୬୪୬.୪୦କୋଟି ଟଙ୍କାର ବଜେଟକୁ ସାଢ଼େ ୭୦୦କୋଟିକୁ ବୃଦ୍ଧି କରାଯାଇଥିବାବେଳେ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗର ପୂର୍ବ ବଜେଟ ୨ହଜାର କୋଟି ଟଙ୍କାକୁ ପୁଣି ଥରେ ବୃଦ୍ଧି କରାଯାଇଛି। ପର୍ଯ୍ୟଟନ କ୍ଷେତ୍ରକୁ ତ୍ବରାନ୍ବିତ କରିବା ଲାଗି ଆଉ ପ୍ରାୟ ୩୦କୋଟି ଟଙ୍କା ଅଧିକ ବ୍ୟବସ୍ଥା କରାଯିବାକୁ ଯୋଜନା ହୋଇଛି।

Leave a comment