ଶେଷହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ୯ଟି ପ୍ରସ୍ତାବକୁ ଅନୁମୋଦନ

0

ଓଡିଶା ଫାଷ୍ଟ( ବ୍ୟୁରୋ): ଶେଷହେଲା ରାଜ୍ୟ କ୍ୟାବିନେଟର ବଜେଟ ଅନୁମୋଦନ ବୈଠକ । ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ପଞ୍ଚମ ଅର୍ଥ କମିଶନଙ୍କ ରିପୋର୍ଟ, ଓଡ଼ିଶା ସିଭିଲ ସର୍ଭିସ ସଂଶୋଧନ ରୁଲ୍‌ ଏବଂ ଓଡ଼ିଶା ଖଣି ନିଗମର ଦୀର୍ଘ ମିଆଦି ଲିଙ୍କେଜକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ରାଜ୍ୟର ଯେକୌଣସି ସ୍ଥାନରେ ଏସଟିପିଆଇ(ସଫ୍ଟୱେର ଟେକ୍ନୋଲୋଜି ପାର୍କ୍ସ ଅଫ ଇଣ୍ଡିଆ) ସେଣ୍ଟର ପ୍ରତିଷ୍ଠା ନିମନ୍ତେ ସରକାର ୩ ଏକର ପର୍ଯ୍ୟନ୍ତ ସରକାରୀ ଜମି ବିନା ପ୍ରିମିୟମ ଏବଂ ବିନା ଆନୁସଙ୍ଗିକ ମୂଲ୍ୟରେ ଲିଜ୍‌ ସୂତ୍ରରେ ଯୋଗାଇ ଦେବେ। ଏଥିପାଇଁ ଏସଟିପିଆଇ କର୍ତ୍ତୃପକ୍ଷଙ୍କୁ ବାର୍ଷିକ ଜମିର ବଜାର ଦରର ୧% ହିସାବରେ ଖଜଣା ଏବଂ ବାର୍ଷିକ ଖଜଣାର ୭୫% ସେସ୍‌ ଦେବାକୁ ପଡ଼ିବ। ସେହିପରି ଚାକିରିରେ ଥିବା ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ଥଇଥାନ ବ୍ୟବସ୍ଥା କରାଯାଇଛି। ଥଇଥାନ ସ୍ବରୂପ ସମ୍ପୃକ୍ତ କର୍ମଚାରୀଙ୍କ ପରିବାର ଲୋକଙ୍କୁ ୩ୟ ଏବଂ ୪ର୍ଥ ଶ୍ରେଣୀ ପଦବୀରେ ଚାକିରି ପ୍ରଦାନ କରାଯିବ। ପ୍ରଚଳିତ ନିୟମ ଅନୁସାରେ ୩ୟ ଏବଂ ୪ର୍ଥ ଶ୍ରେଣୀ ମୂଳ ପଦବୀରେ ଖାଲି ଥିବା ୧୦ ପ୍ରତିଶତ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ଫଳରେ ବହୁ ଆବେଦନକାରୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଚଳିତ ୧୦ ପ୍ରତିଶତରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାର ପାନୀୟଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଜିଲ୍ଲାର କୁଆରମୁଣ୍ଡା ଏବଂ ନୂଆଗାଁ ବ୍ଲକ ଅନ୍ତର୍ଗତ ୩୮ଟି ପଞ୍ଚାୟତ ଅଧୀନ ୨୧୯ ଗ୍ରାମକୁ ବିଶୁଦ୍ଧ ଜଳ ଯୋଗାଇଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଖଣି ଦ୍ବାରା ଏହି ଗ୍ରାମଗୁଡ଼ିକର ଭୂତଳ ଜଳ ପ୍ରଭାବିତ ହୋଇଛି। ଠାଣେର ଭୋଲଟାସ ଲିମିଟେଡ କମ୍ପାନୀକୁ ଏହି ପ୍ରକଳ୍ପ କାର୍ଯ୍ୟ ଦିଆଯାଇଛି। ଏଥିପାଇଁ ୩୪୦ କୋଟି ୩୯ ଲକ୍ଷ ବ୍ୟୟ ଅଟକଳ ହୋଇଛି। ୨ ବର୍ଷ ଭିତରେ ଏହାର ନିର୍ମାଣ ଶେଷ ହେବ।

Leave a comment