ମାଲ୍ୟାଙ୍କ ନାଁ ଭୁଲରେ ନେଇ ଯାଇଥିଲି- ଜୁଏଲ ଓରାମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଳାତକ ବିଜୟ ମାଲ୍ୟାଙ୍କୁ ‘ସ୍ମାର୍ଟ’ କହି ବିବାଦରେ ଫସି ଥିବା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍ ଓରାମ୍ ଶେଷରେ ଭୁଲ୍ ମାଗିଛନ୍ତି। ହାଇଦ୍ରାବାଦଠାରେ ଅନୁଷ୍ଠିତ ନ୍ୟାସ୍ନାଲ୍ ଟ୍ରାଇବାଲ୍ ଏଣ୍ଟର୍ପ୍ରିନ୍ୟୁୟର୍ କନ୍କ୍ଲେଭ୍(NTEC)ରେ ଯୋଗ ଦେବା ଅବସରରେ ଜୁଏଲ୍ ବିଜୟ ମାଲ୍ୟାଙ୍କୁ ‘ସ୍ମାର୍ଟ’ ବୋଲି କହିଥିଲେ। ଏପରିକି ମାଲ୍ୟାଙ୍କ ସ୍ମାର୍ଟନେସ୍କୁ ସେ ବେଶ୍ ତାରିଫ କରିବା ସହ ଆଦିବାସୀ ମାନେ ମାଲ୍ୟାଙ୍କ ଭଳି ସ୍ମାର୍ଟ ଭାବେ ବ୍ୟାଙ୍କରୁ ଋଣ ନେବାକୁ କହିଥିଲେ।
ତେବେ କେନ୍ଦ୍ରମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏହାପରେ ମନ୍ତ୍ରୀ ଜୁଏଲ ଓରାମ ଗଣମାଧ୍ୟମକୁ ଏହାର ସ୍ପଷ୍ଟୀକରଣ ଦେବା ସହ ଏଭଳି ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇ ଜୁଏଲ୍ କହିଛନ୍ତି, ବିଜୟ ମାଲ୍ୟାଙ୍କ ନାମ ଭୁଲ୍ରେ କହି ଦେଇଥିଲି। ମାଲ୍ୟାଙ୍କ ବଦଳରେ ମୁଁ ଟାଟା, କିମ୍ବା ବିର୍ଲାଙ୍କ ନାମ ନେବା କଥା। ହେଲେ ଭୁଲ୍ରେ ମାଲ୍ୟାଙ୍କ ନାଁ ନେଇଥିବାରୁ ଏଥିପାଇଁ କ୍ଷମା ମାଗୁଛି।
ସୂଚନାଥାଉ କି, ଷ୍ଟେଟ ବ୍ୟାଙ୍କରୁ ୯୦୦ କୋଟିର ଋଣ ନେଇ ବିଶିଷ୍ଟ ଶିଳ୍ପପତି ଵିଜୟ ମାଲ୍ୟା ଦେଶ ଛାଡି ପଳାଇଛନ୍ତି। ଫଳରେ ତାଙ୍କୁ ପଳାତକ ଘୋଷଣା କରାଯାଇଛି।