ଉପନିର୍ବାଚନ: ୩ ଲୋକସଭା ଓ ୭ ବିଧାନସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ

0

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ। ଦେଶର ୩ଟି ଲୋକସଭା ଓ ୭ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯାଉଛି । ପୂର୍ବାହ୍ନ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଏହା ଜାରି ରହିବ । ଏହି ସବୁ ଆସନର ଭୋଟଗଣତି ଓ ଫଳାଫଳ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ।

ସୂଚନାଯୋଗ୍ୟ ଉତ୍ତର ପ୍ରଦେଶର ରାମପୁର ଓ ଆଜମଗଡ଼ ଏବଂ ପଂଜାବର ସଂଗରୁର ଲୋକସଭା ଆସନରେ ଭୋଟ ଗ୍ରହଣ କରାଯାଉଛି । ସେହିପରି ଦିଲ୍ଲୀ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ତ୍ରିପୁରାର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେଉଛି ।

ସମସ୍ତ ଲୋକସଭା ଆସନରେ କୋଭିଡ-୧୯କୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ କରାଯିବା ପାଇଁ ରାଜ୍ୟ ପୋଲିସ ସମେତ କେନ୍ଦ୍ରୀୟ ବଳ ମୁତୟନ ଅଛନ୍ତି । ତ୍ରିପୁରାରେ ସର୍ବାଧିକ ୪ଟି ବିଧାନସଭା ଆସନରେ ଆଜି ଭୋଟ ଗ୍ରହଣ କରାଯାଉଛି । ଏଥିରେ ଅଗରତଲା, ଜୁବାରାଜଗର, ସୁରମା ଓ ବରଦୋୱାଲା (ଟାଉନ)ରେ ଭୋଟ ଗ୍ରହଣ କରାଯାଉଛି । ଆନ୍ଧ୍ର ପ୍ରଦେଶର ଆତ୍ମାକୁର, ଝାଡ଼ଖଣ୍ଡର ମାଣ୍ଡର ଓ ଦିଲ୍ଲୀର ରାଜେନ୍ଦ୍ରନଗର ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି ।

Leave a comment