ଉପନିର୍ବାଚନ ପାଇଁ କଟକଣାରେ କୋହଳ, ହଲ୍‌ରେ ଏକଜୁଟ୍ ହୋଇପାରିବେ ୨୦୦ ଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ରାଜ୍ୟ ସରକାର କୋଭିଡ୍ କଟକଣାକୁ କୋହଳ କରିଛନ୍ତି। ପୂର୍ବରୁ ସର୍ବାଧିକ ୧୦୦ରୁ ଅଧିକ ଲୋକଙ୍କ ଏକାଠି ହେବା ନେଇ ରହିଥିବା କଟକଣାରେ ପରିବର୍ତ୍ତନ କରାଯାଇଛି । ଏବେ କୌଣସି ହଲ୍‌ରେ ୫୦ ପ୍ରତିଶତ କିମ୍ବା ସର୍ବାଧିକ ୨୦୦ ଲୋକ ଏକାଠି ହୋଇପାରିବେ ବୋଲି ସ୍ପଷ୍ଟ କରାଯାଇଛି। ଖୋଲାସ୍ଥାନ ଓ ପଡ଼ିଆର ଆକାରକୁ ଦେଖି ସାମାଜିକ ଦୂରତା ସୁନିଶ୍ଚିତ ପୂର୍ବକ କେତେ ଲୋକେ ଏକାଠି ହୋଇପାରିବେ ତାହା ଜିଲ୍ଲା ପ୍ରଶାସନ ସ୍ଥିର କରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛିି।

ଶନିବାର ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରେ କୌଣସି ହଲ୍‌ରେ ସର୍ବାଧିକ ୨୦୦ଜଣ ଲୋକ (ପ୍ରକୋଷ୍ଠର କ୍ଷମତାର ସର୍ବାଧିକ ୫୦%) ଏକଜୁଟ୍ ହେବା ନିମନ୍ତେ ଅନୁମତି ଦିଆଯାଇଛି। ତେବେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ପାଳନ, ହାତ ସାନିଟାଇଜ୍ କରିବା ସହ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି ଖୋଲା ସ୍ଥାନ ବା ପଡ଼ିଆର ପରିସରକୁ ଦେଖି ଜିଲ୍ଲା ପ୍ରଶାସନ ଲୋକଙ୍କ ଏକଜୁଟ୍ ହେବା ନିମନ୍ତେ ଅନୁମତି ଦେଇପାରିବ। ସାମାଜିକ ଦୂରତ୍ୱ ରଖି ଉକ୍ତ ପଡ଼ିଆରେ କେତେ ଲୋକ ଏକଜୁଟ୍ ହୋଇପାରିବେ ତାହା ଜିଲ୍ଲା ପ୍ରଶାସନ ସ୍ଥିର କରିବ।
ପୂର୍ବରୁ ଅକ୍ଟୋବର ପହିଲାରେ ଜାରି ହୋଇଥିବା ନିର୍ଦ୍ଦେଶନାମାର ଧାରା-୨ର ଉପଧାରା-ଘ’ରେ ଥିବା ପ୍ରାବଧାନରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି। ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ସାମାଜିକ, ରାଜନୀତିକ, କ୍ରୀଡ଼ା, ଆମୋଦପ୍ରମୋଦ, ଶୈକ୍ଷିକ, ସାଂସ୍କୃତିକ ଓ ଧାର୍ମିକ ଉତ୍ସବ ସମେତ ଅନ୍ୟାନ୍ୟ ସମସ୍ତ ପ୍ରକାରର ଅଧିକ ସଂଖ୍ୟକ ଜନଗହଳି ବା ଭିଡ଼ ଉପରେ କଟକଣା ଜାରି ହୋଇଥିଲା । ମାତ୍ର ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଏହାକୁ ଆଜି କୋହଳ କରିଛନ୍ତି ସରକାର ।

Leave a comment