୩୦ଫୁଟ୍ ତଳକୁ ଖସିଲା ବସ୍: ୨୫ ମୃତ, ୩୦ରୁ ଉର୍ଦ୍ଧ୍ବ ଗୁରୁତର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରୀ ପରିବହନ ଯୋଗୁ ଏକାଧିକ ଦୁର୍ଘଟଣା ଘଟୁଥିବା ବେଳେ ହିମାଚଳ ପ୍ରଦେଶରେ ଆଜି ଏଭଳି ଆଉ ଏକ ଅଭାବନୀୟ ଘଟଣା ଘଟିଛି । ହିମାଚଳ ପ୍ରଦେଶର କୁଲ୍ଲୁ ଜିଲା ବଞ୍ଜାର ନିକଟରେ ଏହି ଦୁର୍ଘଟଣା ଘଟିଛି । ଘାଟି ତଳକୁ ଏକ ବସ ଖସି ପଡ଼ିବା ଯୋଗୁ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଥିସହ ୩୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ବସ୍ଟି ବଞ୍ଜାରାରୁ ଗଡ଼ସୁସାହାଣି ଅଭିମୁଖେ ଯାତ୍ରା କରୁଥିଲା । ଏବେ ବି ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କୁଲ୍ଲୁ ଏସ୍ପି ସାଲିନୀ ଅଗ୍ନିହୋତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବସ୍ରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ । କୌଣସି କାରଣରୁ ବସ୍ଟି ଝରଣା ମଧ୍ୟକୁ ଖସି ପଡ଼ିଥିଲା । ଏଥିରେ ୨୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏ ପର୍ଯ୍ୟନ୍ତ ୧୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବସ୍ଟି ପ୍ରାୟ ୩୦ଫୁଟ୍ ଉଚ୍ଚତାରୁ ଖସି ପଡ଼ିଥିବାରୁ ଏହାର ଉପରିଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଏସ୍ପି ଅଗ୍ନିହୋତ୍ରୀ ସୂଚନା ଦେଇଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରୀ ପରିବହନ ଯୋଗୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।