ବରମୁଣ୍ଡାରେ କିପରି ଜଳିଗଲା ବସ ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ‘ଚକାଡ଼ୋଳା’ ନାମକ ଏକ ଯାତ୍ରୀବାହୀ ବସ ଜଳିଯାଇଛି । ନିଆଁ ଲାଗିଥିବା ଦେଖି ବସ ଭିତରେ ଶୋଇଥିବା କର୍ମଚାରୀମାନେ ଓହ୍ଲାଇ ଯାଇଥିଲେ । ଫଳରେ ଏହି ଅଗ୍ନିକାଣ୍ଡରେ କୌଣସି ପ୍ରଣାହାଣୀ ଘଟିନାହିଁ । ବସରେ ନିଆଁ ଲାଗିଥିବା ଖବରପାଇ ୨ଟି ଗାଡ଼ିରେ ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଚକାଡୋଳା ବସ ରାତିରେ କଳାହାଣ୍ଡିରୁ ଭୁବନେଶ୍ୱର ଆସି ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡ଼ା ହୋଇଥିଲା । ବସ ଭିତରେ କର୍ମଚାରୀମାନେ ଶୋଇଥିବା ବେଳେ ବସରେ ହଠାତ ନିଆଁ ଲାଗି ଯାଇଥିଲା । ଚକାଡୋଳା ବସରେ ନିଆଁ ଲାଗିଥିବା ଦେଖି ପାଖରେ ଛିଡ଼ା ହୋଇଥିବା ଅନ୍ୟ ବସ ଗୁଡ଼ିକୁ ପ୍ରଥମେ ବାହାର କରି ଦିଆଯାଇଥିଲା । ଏହାପରେ ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।