ଗଞ୍ଜାମ ରୁ ସୁରତ ଯାଉଥିବା ବସ ଦୁର୍ଘଟଣା: ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ଏହି ବସ୍ ଛତିଶଗଡ଼ ରାଜଧାନୀ ରାୟପୁର ଉପକଣ୍ଠ ଚେରି ଖେଡି ନିକଟରେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବ ଫଳରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହାସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି। ତୁରନ୍ତ ରାୟପୁର ଯିବାକୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ଆହତ ଓ ଗୁରୁତରଙ୍କୁ ସମସ୍ତ ପ୍ରକାର ସହାୟତା ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଛତିଶଗଡ଼ ଡ଼ିଜିଙ୍କ ସହ ସମ୍ପର୍କରେ ରହିବାକୁ ଡ଼ିଜିପି ଅଭୟଙ୍କୁ ମଧ୍ୟ କହିଛନ୍ତି।
ସୂଚନା ଯୋଗ୍ୟ, ଆଜି ଭୋର ସମୟରେ ଛତିଶଗଡ଼ ରାଇପୁରର ଚେରି ଖେଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଆହତ ହୋଇଥିଲେ।