ମାର୍ଚ୍ଚ ୨୫ରୁ ବଜେଟ ଅଧିବେଶନ ଆରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ। ଚଳିତଥର ବଜେଟ ଅଧିବେଶନରେ ୬ଟି କାର୍ଯ୍ୟ ଦିବସ ରହିଛି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଦୁଇ ଦିନ ଧରି ଆଲୋଚନା ହେବ । ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ କାମଚଳା ବଜେଟ ଆଗତ କରିବେ । ୩୧ ତାରିଖରେ ବଜେଟ ପାରିତ ପାଇଁ ଆସିବ ବ୍ୟୟ ମଂଜୁରୀ ବିଲ୍ । ମାର୍ଚ୍ଚ ୨୭ ତାରିଖ ଓ ରବିବାର ଗୃହ କାର୍ଯ୍ୟ ବନ୍ଦ ରହିବ । ବିଧାନସଭା ବଜେଟ ଅଧିବେଶନକୁ ନେଇ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
୨୦୨୧-୨୨ଆର୍ଥିକ ବର୍ଷରେ ସରକାର ପ୍ରଥମେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ପାସ୍ କରିଥିଲେ । ଡିସେମ୍ବର ମାସରେ ୧୯ ହଜାର ୮୩୩ କୋଟି ୧୩ ଲକ୍ଷ ୩୧ ହଜାର ଟଙ୍କାର ଅତିରିକ୍ତ ବଜେଟ୍ ପାରିତ ହୋଇଥିଲା । ଏଥର ବଜେଟ୍ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ସେସବୁ ଯୋଜନା ପାଇଁ ବଜେଟରେ ଅର୍ଥ ବରାଦ କରାଯିବ ।