କାମଚଳା ବଜେଟ୍ ଘୋଷଣା କଲେ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ । କୃଷକଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍ ଆଗତ କରିଛନ୍ତି। ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି କେତେକ ଲୋଭନୀୟ ଘୋଷଣା କରିଛନ୍ତି।
ବିଶେଷକରି ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାର ପ୍ରଥମେ ଦେଶର କୃଷକମାନଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ୟମ କରିଛନ୍ତି । ଯେଉଁ କୃଷକଙ୍କ ୨ ହେକ୍ଟର ଜମି ଥିବ ସେମାନଙ୍କୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ମିଳିବ । ପିଛିଲା ଭାବେ ଏହି ବ୍ୟବସ୍ଥା ୨୦୧୮ ଡିସେମ୍ବର ୧ ତାରିଖରୁ ଲାଗୁ ହେବ । ଏଥିରେ ମୋଟ୍ ୧୨ କୋଟି କୃଷକ ଉପକୃତ ହେବେ । ସେହିପରି ଗୋବଂଶ ରକ୍ଷା ପାଇର୍ ଜାତୀୟ କାମଧେନୁ ଯୋଜନା ମଧ୍ୟ ଆରମ୍ଭ ହେବ । ସେହିପରି ଗ୍ରାଚୁଇଟି ସୀମା ୧୦ ଲକ୍ଷରୁ ବଢ଼ି ୩୦ ଲକ୍ଷ ଟଙ୍କା କରାଯାଇଛି । ପ୍ରଧାନମନ୍ତ୍ରୀ ‘ଶ୍ରମ ଯୋଗୀ ମନଧନ’ ନାମକ ବିଶାଳ ପେନ୍ସନ୍ ଯୋଜନା ଦ୍ୱାରା ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ପେନ୍ସନ୍ ସୁନିଶ୍ଚିତ ମିଳିବ । ଏଥିପାଇଁ ସେମାନଙ୍କୁ ମାସିକ ୧୦୦ ଟଙ୍କା ଦେବାକୁ ପଡ଼ିବ ବୋଲି ଅନ୍ତରୀଣ ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।