ରାୟଗଡାରେ BSKY ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାୟଗଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏହାସହ ୮୭୦ କୋଟି ଟଙ୍କାର ୨୦୯ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସ୍ବାସ୍ଥ୍ୟ କାର୍ଡ ଦ୍ଵାରା ରାୟଗଡା ଜିଲ୍ଲାର ୨ ଲକ୍ଷ ୫୩ ହଜାର ପରିବାର ଉପକୃତ ହୋଇପାରିବେ। ମାଗଣାରେ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେବ। ମୁଖ୍ୟତଃ ରାୟଗଡା ଜିଲ୍ଲାରେ ବାସ କରୁଥିବା ଆଦିବାସୀ ଲୋକେ ସର୍ବାଧିକ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ରାୟଗଡାଠାରେ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ଜଗନ୍ନାଥ ସାରକା, ସାଂସଦ ଏନ୍ ଭାସ୍କର ରାଓ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ମକରନ୍ଦ ମୁଦୁଲି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ଦେଶର ସର୍ବଶ୍ରେଷ୍ଠ ଓ ଉତ୍ତମ କାର୍ଡ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଓ ଲାଞ୍ଜିଆସୌରା ସମ୍ପ୍ରଦାୟର ୧୨ ଜଣ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଥିଲା।