ଏଣ୍ଟ୍ରି ଫ୍ରି ପରେ ବି ଚୌକି ଫାଙ୍କା, କର୍ପୋରେଟରଙ୍କୁ ଅନୁରୋଧ ଲୋକ ଆଣ ଇଜ୍ଜତ ବଞ୍ଚାଅ

0

ଭୁବନେଶ୍ୱର, (ଓଡ଼ିଶା ଫାଷ୍ଟ): ନିଦ ହଜାଇଲାଣି ଡ଼ଟ ଫେଷ୍ଟ । ବିଏମସି ମେୟର ଏବଂ କମିଶନର ଙ୍କ ମୁଣ୍ଡବିନ୍ଧାର କାରଣ ହେଲାଣି ଏହି ସିଟିଫେଷ୍ଟ କାର୍ଯ୍ୟକ୍ରମ । ଶେଷରେ ସମସ୍ତ କର୍ପୋରେଟର ଙ୍କୁ କରାଯାଇଛି ଅନୁରୋଧ । ଲୋକ ଆଣ ଇଜ୍ଜତ ବଞ୍ଚାଅ । ତିନିଦିନ ତଳୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ କୁ ନେଇ ମେୟର ଅନେକ ବଡ଼ବଡ଼ ସ୍ବପ୍ନ ଦେଖିଥିଲେ । ଏହାର ସଫଳତାର ଶ୍ରେୟ ତାଙ୍କୁ ଦିଆଯିବା ନେଇ ମନେମନେ ଖୁବ ଖୁସି ଥିଲେ । ଯାହାକି ଏବେ ଧୂଳିରେ ମିଶି ଯାଇଥିବା ନେଇ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଆମେ କହୁନାହୁଁ ଵିଶେଷ ସୂତ୍ରରୁ ମିଳିଥିବା କିଛି ରାଜନୈତିକ ବ୍ୟକ୍ତିଙ୍କ ଆନୁଗତ୍ୟଙ୍କ ଠାରୁ ଏପରି ଶୁଣିବାକୁ ମିଳୁଛି କି, ଡ଼ଟ ଫେଷ୍ଟ କାର୍ଯ୍ୟକ୍ରମ ପୂର୍ବରୁ ଅନେକ କଳାପ୍ରେମୀ ପାସ ଖଣ୍ଡେ ପାଇବାକୁ ଅନେକ ନେତା ଓ କର୍ପୋରେଟର ଙ୍କ ଦ୍ୱାରସ୍ତ ହୋଇଥିଲେ । ମାତ୍ର ପାସ ଟିକେଟ ନପାଇ ନିରାଶ ହୋଇଥିଲେ । କାରଣ କର୍ପୋରେଟର ମାନଙ୍କୁ ନିର୍ଦ୍ଦିଷ୍ଟ ଅଳ୍ପ ପରିମାଣର ଟିକେଟ ପ୍ରଦାନ କରାଯାଉଥିଲା । ଯାହାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ ପାଇବା ସହ ଅନେକ କର୍ପୋରେଟର ପାସ ଫେରାଇ ଦେଇଥିବା ଶୁଣିବାକୁ ମିଳୁଥିଲା । ଯାହାକି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଲୋକଙ୍କୁ ଦେଖି ଅନୁମେୟ । କାରଣ ପୂର୍ବରୁ ଏହି ଡ଼ଟ ଫେଷ୍ଟ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପର୍ଣ୍ଣ ହୋଇଥିବା ନଜିର ରହିଛି । ଯାହାକି ଏହାର ଲୋକପ୍ରିୟତାକୁ ବଖାଣୁଛି । ମାତ୍ର ଏଥର ପାସ ଟିକେଟ ବିତରଣରେ ଘଟୁଥିବା ଅନିୟମିତତା ଜଳଜଳ ହୋଇ ଦେଖାଯାଉଛି । ଯେତେ ଲୁଚାଇଲେ ମଧ୍ୟ ଲୁଚୁନାହିଁ । ଶେଷରେ ଏଭଳି ପରିସ୍ଥିତି ଘଟିଛି କି ଏଣ୍ଟ୍ରି ଫ୍ରି କରାଯିବା ପରେ ମଧ୍ୟ ଚୌକି ଫାଙ୍କା । ଶେଷରେ ମେୟର ଏବଂ କମିଶନର କିଂକର୍ତ୍ତବ୍ୟ ମୁଢ଼ ହୋଇ କର୍ପୋରେଟର ଙ୍କୁ ଅନୁରୋଧ କରୁଛନ୍ତି । କୌଣସି ପ୍ରକାର ବ୍ୟବସ୍ଥା କର, ଲୋକ ଆଣ । ଆମ ଇଜ୍ଜତ ବଞ୍ଚାଆ ।

ସୂଚନା ଅନୁଯାୟୀ, ଡ଼ଟ ଫେଷ୍ଟର ଦ୍ୱିତୀୟ ଦିନରେ ଓଡ଼ିଶା କଣ୍ଠଶିଳ୍ପୀ ଦୀପ୍ତିରେଖା ଷ୍ଟେଜକୁ ଆସିବା ବେଳକୁ ଦର୍ଶକଙ୍କ ଦେଖା ମିଳିନଥିଲା । ପ୍ରିମିୟମ, ପ୍ଲାଣ୍ଟିନମ, ଗୋଲ୍ଡ ଓ ସିଲଭର ଜୋନ ସବୁ ଫାଙ୍କା ପଡିଥିଲା । ମାତ୍ର ହାତଗଣତି ଦର୍ଶକଙ୍କୁ ଦେଖି ସେ ମଧ୍ୟ ଚକିତ ହୋଇଯାଇଥିଲେ । ଅପରପକ୍ଷରେ ଆୟୋଜନକାରୀଙ୍କ ମୁଣ୍ଡ ମଧ୍ୟ ବିିଗିଡି ଯାଇଥିଲା । ବିନା ଦର୍ଶକରେ କେମିତି କାର୍ଯ୍ୟକ୍ରମ ହେବ, ସେ ନେଇ ପ୍ରଶାସନ ମୁଣ୍ଡକୁ ବିଛା କାମୁଡିଥିଲ । ପରେ ତୁରନ୍ତ ଏକ ଯୋଜନା ପ୍ରସ୍ତୁକ କରି ବିଭିନ୍ନ ଅଞ୍ଚଳରେ ଥିବା ବିଜୁ କଲୋନୀ (ବସ୍ତି)ରୁ ଲୋକଙ୍କୁ ଗାଡିରେ ବୁହାଯାଇ ସିଲଭର ଜୋନକୁ ଫିଲପ କରାଯାଇଥିଲା । ତେବେ କିଛି ସମୟରେ ଯେଉଁ କେତେଜଣ ପାସଧାରୀ ବସିଥିଲେ, ସେମାନେ ମଧ୍ୟ ପଳାଇଯାଇଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ହଜାର ହଜାର ପାସ ବଣ୍ଟା ହେଉଥିବା ବେଳେ ଦର୍ଶକ ଯାଉଛନ୍ତି କୁଆଡେ? ବଡବଡିଆ ଓ ବଡ ମିଡିଆଙ୍କ ପାଖରେ ଆନୁଗତ୍ୟ ପାଇଁ ପାସ୍ ଦିଆଯାଉଛି କି? ଫଳରେ ସେମାନେ ପାସ ନେଇ କାର୍ଯ୍ୟକ୍ରମ ଦେଖିବାକୁ ଆସୁନାହାଁନ୍ତି । ଯଦି ଏହା ସତ୍ୟ, ତେବେ ଯେଉଁମାନେ ପ୍ରକୃତରେ କାର୍ଯ୍ୟକ୍ରମ ଦେଖିବାକୁ ଆଗ୍ରହୀ ସେମାନଙ୍କୁ ପାସ ଦିଆଯାଉନି କାହିଁକି? ପାସ୍ ବଣ୍ଟାରେ କିଛି ରାଜନୀତି ହେଉଛି କି? ଏଦିଗରେ ଆୟୋଜକମାନେ ଧ୍ୟାନ ନହେଲେ, ଦର୍ଶକ ଅଭାବରୁ ଆଗାମୀ ଦିନରେ ବଡବଡ କଳାକାରମାନେ ଡଟଫେଷ୍ଟକୁ ଆସିବାକୁ ଅମଙ୍ଗ ହେବେ ଏଥିରେ ସନ୍ଦେହ ନାହିଁ ।

ଏଥର କେବଳ ଡ଼ଟ ଫେଷ୍ଟରେ ଟିକେଟ ବଣ୍ଟନରେ ଅନିୟମିତତା ଦେଖାଯାଇନି । ଏହା ପୂର୍ବରୁ ଆରମ୍ଭ ହୋଇଥିବା ହକି ବିଶ୍ୱକପ ର ଟିକେଟ ବଣ୍ଟନକୁ ନେଇ ମଧ୍ୟ ଅନେକ ଅସନ୍ତୋଷ ଦେଖିବାକୁ ମିଳୁଛି । ବଡ଼ବଡ଼ିଆ ଙ୍କୁ ପାସ ଦିଆଯାଉଛି ମାତ୍ର ସେମାନେ ଦେଖିବାକୁ ନଆସିବାରୁ ସିଟ ଖାଲି ପଡ଼ିଛି । ମାତ୍ର ଜଣେ ଇଛୁକ ବ୍ୟକ୍ତି ଏଥିରୁ ବଞ୍ଚିତ ରହୁଛି । ଏହା କେତେଦୂର ଠିକ ବୋଲି ରାଜଧାନୀରେ ଚର୍ଚ୍ଚା ହେଉଛି । ଅପରପକ୍ଷରେ ଏନେଇ ଓଡ଼ିଶା ଫାଷ୍ଟ ପକ୍ଷରୁ ମେୟର ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ସମ୍ଭବପର ହୋଇପାରିନଥିଲା ।

Leave a comment