ସ୍ୱାଭିମାନକୁ ବନ୍ଧା ପକେଇବେ ବ୍ରଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରଜକିଶୋର ତ୍ରିପାଠୀ ଅଣକଂଗ୍ରେସ ରାଜନୀତିର ଏକ ବଡ଼ ନାମ । ୧୯୯୯ରୁ ୨୦୦୪ ମସିହା ଅଟଳଙ୍କ କ୍ୟାବିନେଟରେ ଇସ୍ପାତ ମନ୍ତ୍ରୀ ଥିଲେ । ଲୋହିଆବାଦୀ ବାଦୀ ଭାବେ ଓଡ଼ିଶାରେ ପରିଚିତ । ହେଲେ ନିଜର ସମସ୍ତ ଆଦର୍ଶକୁ ଜଳାଞ୍ଜଳି ଦେଇ କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି । ଏବଂ କଥାକଥିତ ଭାବେ କଂଗ୍ରେସ ଚିହ୍ନରେ ନଲଢ଼ି ନିଜ ଚିହ୍ନରେ ଲଢ଼ିବାକୁ ଚେଷ୍ଟା କରୁଛନ୍ତି। ମିଳିଥିବା ଖବର ଅନୁଯାୟୀ ବରିଷ୍ଠ ନେତା ଦାମୋଦର ରାଉତ, ପଞ୍ଚାନନ କାନୋନଗ, ବ୍ରଜଙ୍କୁ ବୁଝାଇବାରେ ସମର୍ଥ ହୋଇଛନ୍ତି । ସେମାନସଙ୍କ କଥାରେ ପଡି ବ୍ରଜ ପୁରୀରେ ମହେଶ୍ୱର ମହାନ୍ତିଙ୍କ ବିପକ୍ଷରେ ବିଧାୟକ ପ୍ରାର୍ଥୀ ହେବେ । ବ୍ରଜଙ୍କ ବିରୁଦ୍ଧରେ କଂଗ୍ରେସ ପ୍ରାର୍ଥୀ ଦେବେନାହିଁ । ଏବଂ ଗୋଟିଏ ଦଳ ଏକ ଦୁର୍ବଳ ପ୍ରାର୍ଥୀ ଦେବ । ଯାହାକୁ ନେଇ ସେ ମହେଶ୍ୱରଙ୍କ ସହ ମୁକାବିଲା କରିବେ । ଏନେଇ ସମସ୍ତ କଥାବାର୍ତ୍ତା ସାରିଯାଇଛି । ପସିସି ପକ୍ଷରୁ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏଥିପାଇଁ କସରତ କରୁଥିବା ଜଣାପଡିଛି । ହେଲେ ଏହାକୁ ନେଇ ସ୍ଥାନୀୟ ପୁରୀ ସଙ୍ଗଠନ ଏବଂ ଯୁବବର୍ଗ ଭିତରେ ନିରାଶା ଦେଖାଦେଇଛି । କେତେକ ଯୁବବର୍ଗ କହିଛନ୍ତି ବ୍ରଜ ତ୍ରିପାଠୀ କଂଗ୍ରେସ ଚିହ୍ନରେ ଲଡିବେ ନାହିଁ ତେଣୁ ତାଙ୍କୁ ଦଳରେ ଆଣି କଂଗ୍ରେସର କିଛି ଅଭିବୃଦ୍ଧି ହେବାର ନାହିଁ ତେଣୁ ଏହି ନିଷ୍ପତ୍ତି ଉପରେ ଦଳ ବିଚାର କରୁ । ଦଳକୁ ସୁଯୋଗ ମିଳିଛି ଶୂନରୁ ଆରମ୍ଭ କରି ଭଲ ହେବାପାଇଁ । କିଛି କ୍ଷଣ ପାଇଁ ରାଜନୀତି ପାଇଁ ଜଣେ ଅଣକଂଗ୍ରେସ ନେତାକୁ ଆଣି କଂଗ୍ରେସର ଭୋଟରେ ଠିଆକରାଇବା ଦଳପ୍ରତି ହିତକର ନୁହେଁ । ମାତ୍ର ମିଳିଥିବା ଖବର ଅନୁଯାୟୀ ବ୍ରଜଙ୍କ କଂଗ୍ରେସରେ ମିଶିବା ନିଶ୍ଚିତ । ଏଥିପାଇଁ ବ୍ରଜ ରାଜି ହୋଇଛନ୍ତି । ତେଣୁ ଆଗକୁ ପୁରୀ ରାଜନୀତି କଣ ହେବ ତାହାଉପରେ ସମସ୍ତଙ୍କ ନଜର ରହିବ । ସେପଟେ ମହେଶ୍ୱର ମହାନ୍ତି ଦିନ ତମାମ ବର୍ଷ ତମାମ ପୁରୀରେ ଆଡ୍ଡା ଜମାଇ ରହୁଛନ୍ତି । ୧୯୮୫ ମସିହାରୁ ମହେଶ୍ୱର ସିଧାସଳଖ ଭାବେ ପୁରୀ ରାଜନୀତିରେ ଅଛନ୍ତି । ବିଗତ ୫ ବର୍ଷରେ ନିର୍ବାଚନ ନହେଲେ ୨୦୦୯ ରୁ ୨୦୧୯ ମଧ୍ୟରେ ବ୍ରଜ ତ୍ରିପାଠୀଙ୍କୁ ପୁରୀରେ କେହି ଦେଖନ୍ତି ନାହିଁ । ତେଣୁକରି ନିର୍ବାଚନୀ ଫାଇଦା ପାଇଁ ହଠାତ କରି ପୁରୀରେ ଯାଇ ପୁଣି ଆବିର୍ଭାବ ହେବା ଓ ଭୋଟ ଭିକ୍ଷା କରିବା କେତେଦୂର ଗ୍ରହଣୀୟ ହେବ ତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୦୯ ମସିହାରେ ଯେତେବେଳେ ବ୍ରଜଙ୍କୁ ଟିକେଟ ଦିଆଯାଇନଥିଲା ବ୍ରଜ ସେତେବେଳେ ବିଚାର ନକରି ଶଙ୍କର ପରିଡ଼ାଙ୍କ ସହ ବିଜେପି ରେ ଯୋଗଦେଇଥିଲେ । ଏବଂ ସେହି ବର୍ଷ ପୁରୀ ଲୋକସଭା ଆସନରୁ ନିଜେ ପ୍ରତିଦ୍ବନ୍ଦିତା କରିବା ସହ ଶଙ୍କରଙ୍କୁ ନିମାପଡା ଆସନରୁ ଲଢ଼େଇ ଥିଲେ । ତେଣୁ ବ୍ରଜଙ୍କ ଉପରେ କେତେଦୂର ଭରସା କରାଯାଇପାରେ ତାହାମଧ୍ୟ ଏକ ଗୁରୁତର ପ୍ରଶ୍ନ ଭାବରେ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

Leave a comment