ପ୍ରବୀଣ କୁମାର ସୋବତୀଙ୍କ ହୃଦଘାତରେ ଦେହାନ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଆର ଚୋପ୍ରାଙ୍କ ପୌରାଣିକ ସୋ’ ‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରିଥିବା 74 ବର୍ଷୀୟ ଅଭିନେତା ପ୍ରବୀଣ କୁମାର ସୋବତୀଙ୍କ ହୃଦଘାତରେ ଦେହାନ୍ତ ହୋଇଛି। ଅଭିନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିଲେ। ଅଭିନେତା ପୌରାଣିକ ଧାରାବାହିକରେ ଭୀମଙ୍କ ଭୂମିକାରେ ଅଭିନୟ କରିବା ପରେ ଘରେଘରେ ପରିଚିତ ହୋଇଥିଲେ। ସେ କେବଳ ଅଭିନୟ ଜଗତରେ ନୁହେଁ କ୍ରୀଡ଼ା ଜଗତରେ ମଧ୍ୟ ଅନେକ ନାଁ ଅର୍ଜନ କରିଥିଲେ ।
ପ୍ରବୀଣ କୁମାର ଜଣେ ଅଭିନେତା ହେବା ବ୍ୟତୀତ ଭଲ ଆଥଲେଟ୍ ମଧ୍ୟ ଥିଲେ । ସେ ହାମର ଏବଂ ଡିସ୍କସ ଥ୍ରୋରେ ଅନେକ ପଦକ ଜିତିଛନ୍ତି । ବିଏସଏଫର ପୂର୍ବତନ ଡେପୁଟି କମାଣ୍ଡାଣ୍ଟ ପ୍ରବୀଣ ମଧ୍ୟ ଏସୀୟ ଏବଂ କମନୱେଲଥ ଗେମ୍ସରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ହଂକଂରେ ଆୟୋଜିତ ଏସୀୟ ଗେମ୍ସରେ ସେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ । ସେ 1960 ଏବଂ 70 ଦଶକରେ ଆଥଲେଟିକ୍ସରେ ମଧ୍ୟ ଲୋକପ୍ରିୟତା ହାସଲ କରିଥିଲେ ।