ରାଜଧାନୀରେ ନିର୍ବାଚନୀ ହିଂସା, ଘନ ଘନ ବୋମାମାଡ଼
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ପ୍ରାୟ ରାତି ୨ଟାରେ କଟକ ରୋଡ ସ୍ଥିତ ୪୫ ନମ୍ବର ୱାର୍ଡର ଭୁବନେଶ୍ୱର ବିଜେଡି ସଂଗଠନିକ ଜିଲ୍ଲା କାର୍ଯ୍ୟାଳୟ ଉପରେ ବୋମାମାଡ଼ ହୋଇଛି । ଏହି ବୋମା ମାଡରେ ୨ଜଣ ଆହତ ହୋଇଥିବା ସୂଚନା ମିଳିଛି । ରାଜଧାନୀରେ ନିର୍ବାଚନ ଯେତେ ପଖାଉଛି ହିଂସା ସେତେ ବଢ଼ିବାରେ ଲାଗିଛି । କେତେବେଳେ କର୍ମୀଙ୍କ ଉପରେ ଆକ୍ରମଣ ହେଉଛି ତ ଆଉ କେତେ ବେଳେ କାର୍ଯ୍ୟଳୟ ଉପରେ ବୋମାମାଡ଼ । ସତେ ଯେପରି ପୋଲିସ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ରାଜଧାନୀ ।
ସୂଚନା ଅନୁଯାୟୀ, ଗତକାଲି ପ୍ରାୟ ରାତି ୨ଟାରେ କଟକ ରୋଡ ସ୍ଥିତ ୪୫ ନମ୍ବର ୱାର୍ଡର ଭୁବନେଶ୍ୱର ବିଜେଡି ସଂଗଠନିକ ଜିଲ୍ଲା କାର୍ଯ୍ୟାଳୟ ଉପରେ ବୋମାମାଡ଼ ହୋଇଥିବା ବେଳେ ସନ୍ଧ୍ୟା ପ୍ରାୟ ୮ଟା ସମୟରେ ୟୁନିଟ ୮ ବଜେପି ଏକ ୱାର୍ଡ ଅଫିସକୁ ଲକ୍ଷ୍ୟ କରି ୩ଟି ବୋମା ମାଡ଼ ହୋଇଥିଲା । ମାତ୍ର ସୌଭାଗ୍ୟବଶତଃ ବୋମାଗୁଡ଼ିକ ଫୁଟି ନାହିଁ । କମିଶନରେଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲା । ମାତ୍ର ବିଜେଡ଼ି ସଂଗଠନିକ ଜିଲ୍ଲା କାର୍ଯ୍ୟାଳୟ ଉପରେ ହୋଇଥିବା ବୋମାମାଡ଼ ରେ ୨ ଜଣ ବିଜେଡି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ରାଜଧାନୀର ଦୁଇ ପ୍ରମୁଖ ସ୍ଥାନରେ ଗୋଟିଏ ଦିନରେ ଦୁଇଥର ବୋମାମାଡ଼ ହୋଇମଧ୍ୟ କିଏ ଓ କାହିଁକି ବୋମା ମାଡ଼ କରିଥିଲା ତାର ଟେର ପାଇନି ପୋଲିସ ।
ସେହିପରି ଗତକାଲି ଭୁବନେଶ୍ୱର ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ପ୍ରଚାର ପାଇଁ ନୀଳାଦ୍ରି ବିହାର ସ୍ଥିତ ମଙ୍ଗଳା ବସ୍ତିକୁ ବିଜେପି କର୍ମୀ ଗଲାବେଳେ କିଛି ଅସାଧୁ ବ୍ୟକ୍ତି ସେମାନଙ୍କୁ ଅଟକାଇ ଥିଲେ । ଏପରିକି ପ୍ରଚାର ଗାଡ଼ିକୁ ଭିତରକୁ ପୂରାଇ ଦେଇ ନଥିଲେ । ପ୍ରଥମେ ଯୁକ୍ତିତର୍କ ହେବା ପରେ ଏହା ଉଗ୍ରରୂପ ଧାରଣ କରିଥିଲା ଯୁକ୍ତିତର୍କ ହତାହାତିରେ ପରିଣତ ହୋଇଥିଲା । ଫଳରେ ୯ ଜଣ ବିଜେପି କର୍ମୀ ଆହତ ହେବ ସହ ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ସାବତ ଓ ଚନ୍ଦ୍ରଶେଖରପୁର ମଣ୍ଡଳ ସଭାନେତ୍ରୀ ମାନସୀ ମଞ୍ଜରୀ ରାୟ ପାଢ଼ୀଙ୍କ ଅବସ୍ଥା ଗୁରୁତର ରହିଛି । ଏହି ନିର୍ବାଚନୀ ହିଂସା ଓ ପୋଲିସର ଅପାରଗତାକୁ ନେଇ ରାଜଧାନୀ ଭୁବନେଶ୍ୱରରେ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।