ବୋମା ମାଡ଼ରେ ଉଡିଲା ଘର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ସରକଣା ପଂଚାୟତରେ ବୋମା ମାଡ ହୋଇଛି । ବୋମାମଡରେ ଘରର ଟିଣ ଉଡ଼ିଯାଇଥିବା ଜଣା ପଡ଼ିଛି । ବୋମା ମାଡରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଜମିବାଡ଼ି ବିବାଦକୁ ନେଇ ଏଭଳି ବୋମା ମାଡ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ବାଲିଅନ୍ତା ଥାନା ସରକଣା ପଂଚାୟତ ଅନ୍ଧୋଟି ଗାଁରେ ଏକ ବିଲଡର ସଂସ୍ଥା ପକ୍ଷରୁ ଜମି ପ୍ଲଟିଂ କରାଯାଉଛି । ଏହାକୁ ଗୋଟିଏ ଗୋଷ୍ଠୀ ବିରୋଧ କରୁଥିଲେ । ଏହି ଜମିଜମା ବିବାଦକୁ ନେଇ ବେଶ କିଛିଦିନ ହେଲା ବିବାଦ ଲାଗି ରହିଥିଲା । ବିଲଡର ଗୁଣ୍ଡାବାହିନୀ ଓ ଅପରଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦ ଧିରେ ଧିରେ ଉଗ୍ର ରୂପ ନେବାରେ ଲାଗିଛି । ତେବେ ଗତକାଲି ବିଳମ୍ବିତ ରାତିରେରେ କେହି ଦୁର୍ବୃତ ଆସି ବିଲଡରଙ୍କ ଆଉଟ ହାଉସ ଉପରକୁ ଲଗାତର ବୋମା ମାଡ କରିଥିଲେ । ଫଳରେ ଆଉଟ ହାଉସ କ୍ଷତିଗସ୍ତ ହୋଇଥିବା ବେଳେ ଘରେ ଶୋଇଥିବା ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।
ଗୁରୁତର ଅବସ୍ଥାରେ ଆହତଦ୍ୱୟଙ୍କୁ ହସପିଟାଲରେ ଭର୍ତି କରାଯାଇଛି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ପୋଲିସ ସୁତୁଲି ଓ ବାରୁଦ ଆଦି ଜବତ ହୋଇଛି । ଏଥିସହିତ ଆହତଙ୍କୁ ଭେଟି ପୋଲିସ ପଚରାଉଚରା କରୁଛି । ତେବେ ପୋଲିସ ଅଦ୍ୟାବଧି ବୋମା ମାଡ କରିଥିବା ଅଭିଯୁକ୍ତ ସମ୍ପର୍କରେ ସାମନ୍ୟତମ ସୁରାକ ପାଇପାରିନାହିଁ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ ବୋଲି ପୋଲିସ କହିଛି ।