ଖୁବ ଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ
ଖୁବ ଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ । ଏହା ଥାଲାସେମିଆ ନିରାକରଣରେ ବଡ଼ ଅସ୍ତ୍ର ପାଲଟିବ। ଏନେଇ ରାଜ୍ୟ ରକ୍ତ ନିରାପତ୍ତା ଭାରପ୍ରାପ୍ତ ସ୍ବାସ୍ଥ୍ୟ ନିର୍ଦେଶକା ଡାକ୍ତର ଉର୍ମିଳା ମିଶ୍ର ସୂଚନା ଦେଇଛନ୍ତି। ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ ଫଳରେ ଜଣେ ଥାଲାସେମିଆ ରୋଗୀ ଅଧିକ ୩୦ ବର୍ଷ ବଞ୍ଚିବାର ଉଦାହରଣ ଅଛି ।
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା କମ୍ ଅଛି । ଏଠାରେ ୩ ହଜାର ୫୪୮ ରୋଗୀ ଅଛନ୍ତି । ସମସ୍ତଙ୍କୁ ରାଜ୍ୟ ସରକାର ମାଗଣାରେ ଚିକିତ୍ସା ସହ ଯାତାୟତ ଖର୍ଚ୍ଚବି ଦେଉଛନ୍ତି ।
ପଶ୍ଚିମ ଓଡିଶାର ୧୫ଟି ଜିଲ୍ଲାର ଏକ ଲକ୍ଷ ପିଲାଙ୍କୁ ନେଇ ସ୍କ୍ରିନିଂ ହୋଇଥିଲା । ଏଥିରୁ ୪ରୁ ୬ ପ୍ରତିଶତ ଥାଲାସେମିଆ ରୋଗୀ ଚିହ୍ନଟ ହୋଇଥିଲେ । ତେବେ ଉପକୂଳ ଓଡ଼ିଶାରେ ଏହି ରୋଗୀ ଅଧିକ ବୋଲି ରକ୍ତ ନିରାପତ୍ତା ଭାରପ୍ରାପ୍ତ ନିର୍ଦ୍ଦେଶିକା ଡାକ୍ତର ଉର୍ମିଳା ମିଶ୍ର କହିଛନ୍ତି।
ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କ ନିର୍ଦେଶକ ଡାକ୍ତର ଦେବାଶିଷ ମିଶ୍ର କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କରେ ୬୫୦ ଥାଲାସେମିଆ ରୋଗୀ ପଞ୍ଜିକରଣ କରିଛନ୍ତି । ଦିନକୁ ୧୫ ରୁ ୨୦ ଥାଲାସେମିଆ ରୋଗୀଙ୍କ ବ୍ଲଡ ଟ୍ରାନ୍ସପ୍ଲାଣ୍ଟ୍ ହେଉଛି। ହେମୋଗ୍ଲୋବିନ ଓ ଆଇରନ ଲେବେଲ ୧୦୦୦ ୟୁନିଟ ରଖି ସେମାନଙ୍କ ଯତ୍ନ ନିଆଯାଉଛି।