ବନ୍ଦ ହେବ ସ୍ମଗଲିଂ, ଦେଶର ୮୪ ବିମାନ ବନ୍ଦରରେ ଲାଗିବ ବଡ଼ିସ୍କାନର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ଖୁବ୍‌ ଶୀଘ୍ର ବଡ଼ିସ୍କାନର ଲଗାଯିବ । ୨୦୨୦ ସୁଦ୍ଧା ଦେଶର ୮୪ ବିମାନ ବନ୍ଦରରେ ଏହି ସୁବିଧା ଉପଲବ୍ଧ ହେବ । ସମ୍ପ୍ରତି ବିମାନ ବନ୍ଦରରେ ଥିବା ମେଟାଲିକ୍‌ ବଡ଼ିସ୍କାନର ଦ୍ୱାରା କେବଳ ଧାତବ ପଦାର୍ଥ ସମ୍ପର୍କରେ ସୂଚନା ମିଳିପାରୁଛି । ମାତ୍ର ବଡ଼ିସ୍କାନର ସହାୟତାରେ ଉଭୟ ଧାତବ ତଥା ଅଣ-ଧାତବ ପଦାର୍ଥ ସମ୍ପର୍କରେ ସୂଚନା ମିଳିପାରିବ ବୋଲି ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱର ସମେତ ବିଭିନ୍ନ ବିମାନବନ୍ଦରରେ ସ୍ମଗଲର ମାନେ ବାହାର ଦେଶରୁ ସୁନା ଗହଣା, ଡ୍ରଗ୍ସ, ବେଆଇନ ଅସ୍ତ୍ରଶସ୍ତ୍ର ଲୁଚାଇ ଆଣିବାରେ ସକ୍ଷମ ହେଉଥିବା ନଜିର ରହିଛି । ଏସବୁକୁ ଦୃଷ୍ଟିରେ ରଖି ବଡ଼ିସ୍କାନର ଲଗାଯିବା ପାଇଁ ସ୍ଥିର କରାଯାଇଥିବା ଜଣାପଡ଼ିଛି । ଏବେ ଦେଶରେ ୧୦୫ଟି ବିମାନବନ୍ଦର ଥିବାବେଳେ ସେଥିମଧ୍ୟରୁ ୨୮ଟି ଅତି ସମ୍ବେଦନଶୀଳ ବନ୍ଦର ଭାବେ ଚିହ୍ନଟ ହୋଇଛି । ସେହିପରି ୫୬ ବନ୍ଦରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ସମ୍ବେଦନଶୀଳ ତଥା ଅତି ସମ୍ବେଦନଶୀଳ ବିମାନ ବନ୍ଦରରେ ମାର୍ଚ୍ଚ ୨୦୨୦ ସୁଦ୍ଧା ବଡ଼ି ସ୍କାନର ଲଗାଯିବ । ସେହିପରି ଅବଶିଷ୍ଟ ବନ୍ଦରରେ ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ବ୍ୟବସ୍ଥା ସ୍ଥାପିତ କରାଯିବାର ଯୋଜନା ରହିଛି ।

Leave a comment