ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ପାଇଁ ବିଏମସି ଜାରି କଲା ଗାଇଡଲାଇନ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀରେ ଚିନ୍ତା ବଢ଼ାଇଛି ଲୋକାଲ କଣ୍ଟାକ୍ଟ। ସୋମବାର ଗୋଟିଏ ଦିନରେ ୨୩ ଲୋକାଲ କଣ୍ଟାକ୍ଟ ମାମଲା ମିଳିବା ପରେ ସଜାଗ ହୋଇଛି ବିଏମସି । ବିଶେଷ କରି ବସ୍ତିଅଞ୍ଚଳ ପାଇଁ କରୋନା ବୃଦ୍ଧି ପାଉଥିବା କୁହାଯାଉଥିବାବେଳେ ଏଥିପ୍ରତି ଅଧିକ ଦୃଷ୍ଟି ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଏହାକୁ ଦୃଷ୍ଟିରେ ରଖି ପ୍ରାଇଭେଟ ହସ୍ପିଟାଲ ଓ ନର୍ସିଂହୋମ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛି ବିଏମସି। ଗାଇଡଲାଇନ୍ ଅନୁସାରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ କାର୍ଯ୍ୟରତ ବସ୍ତି ଅଞ୍ଚଳର କର୍ମଚାରୀଙ୍କ ଡାଟାବେସ୍ ତିଆରି କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ହସ୍ପିଟାଲ ପରିସରରେ ସେମାନଙ୍କର ରହିବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି। ୧୪ ଦିନ ପରେ କରୋନା ଟେଷ୍ଟ କରି ନେଗେଟିଭ୍ ଆସିଲେ ଦ୍ୱିତୀୟ ସିଫ୍ଟର କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ । ଏହାସହ ପ୍ରତି ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ଜଣେ ଲେଖାଁଏ ନୋଡାଲ ଅଫିସର ନିଯୁକ୍ତି କରିବାକୁ କର୍ତ୍ତୃପକ୍ଷଙ୍କୁ ବିଏମସି ନିର୍ଦ୍ଦେଶ ଦେଇଛି । ନୋଡାଲ ଅଫିସରଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଡିଟେଲ୍ସ ବିଏମସିକୁ ଦେବା ପାଇଁ ଗାଇଡଲାଇନ୍ରେ ଦର୍ଶାଇଛି ବିଏମସି।