ବିଏମସି କମିଶନର ଶତକ ପ୍ରୟାସରେ ଥିଲାବେଳେ ଅଫିସର ମାନେ ଶୂନରେ ଆଉଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଏମସି କମିଶନର ଶତକ ପ୍ରୟାସରେ ଥିଲାବେଳେ ଅଫିସର ମାନେ ଶୂନରେ ଆଉଟ । କଥାଟି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏଭଳି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ର ଦଶରୁ ଉର୍ଦ୍ଧ ପୂର୍ବତନ କର୍ପୋରେଟର । ସେମାନେ କହିଛନ୍ତି, ” ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ କଥାକୁ ଖାତିର କରୁନାହାଁନ୍ତି ତାଙ୍କ ଅଧିନସ୍ଥ ଅଫିସର । ଭୁବନେଶ୍ୱର ରେ କରୋନା ନିଜ କରାଳ କାୟା ମେଲାଇ ଚାଲିଥିବା ବେଳେ ଏହି ଅଫିସରମାନେ ସାନିଟାଇଜେସନ ବଦଳରେ ନିଜ କମିଶନ ଖାଇ ଚୁପ ବସିଛନ୍ତି । କରୋନା ର ଏଭଳି ହୃଦୟ ବିଦରକ ପରିସ୍ଥିତିରେ ମଧ୍ୟ ପଇସା ମୋହ ଛାଡ଼ୁନି ଏହି ଅଫିସର ମାନଙ୍କର । ଏହି ଅଫିସରମାନେ ବର୍ତ୍ତମାନ ସମୟରେ ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ୧୫୦୦ ରୁ ୨୦୦୦ ଟଙ୍କା କମିଶନ ନେବାରେ ବ୍ୟସ୍ତ । ସାନିଟାଇଜେସନ କଥା ପଚାରେ କିଏ । କମିଶନ ତ ପକେଟ ଗରମ କରୁଛି ” ।

ଏହି ପୂର୍ବତନ କର୍ପୋରେଟରମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି କି, ” ଟୀକା ବଣ୍ଟନ କେନ୍ଦ୍ରରେ ଅନେକ ଅନିୟମିତତା ଦେଖାଦେଇଛି । ଟୀକା ଦେବାକୁ ବିଏମସି ପ୍ସକ୍ଷରୁ କିଛି ଟୁକନ ବା ପାସ ସିଷ୍ଟମ ହୋଇଛି । ଏହି ଟୁକନ ବଣ୍ଟନ ପାଇଁ ସ୍ଥାନୀୟ ପୂର୍ବତନ କର୍ପୋରେଟର ମାନଙ୍କ ସାହାଯ୍ୟ ନେବା ବଦଳରେ ଅଫିସରମାନେ ଏହି ପାସକୁ ନିଜ ପରିଚିତ ବ୍ୟକ୍ତିଙ୍କୁ ଦେଉଛନ୍ତି । ଏହା ବାହାରେ ୩୦୦ ରୁ ୪୦୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ଶୁଣିବାକୁ ମିଳୁଛି । କୋଭିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ୧୦କୋଟି ଟଙ୍କା ପ୍ରଦାନ କରିଥିଲେ ମଧ୍ୟ ଲୋକଙ୍କୁ ଭୁଆଁ ବୁଲାଇ ଏମାନେ ହଡପ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଭୁବନେଶ୍ୱର ର ଅନେକ ସ୍ଥାନରୁ ଠିକ ଭାବରେ ଅଳିଆ ସଫା ହେଉନାହିଁ । ଭୁବନେଶ୍ୱର ର ଅନେକ ସ୍ଥାନ ବିଏମସି କମିଶନର ନିଜେ ବୁଲି ତଦାରଖ କରୁଥିବା ବେଳେ ଅଫିସରମାନେ ଅଫିସ ରେ ବସିରହୁଛନ୍ତି । ବିଏମସିର ହାତ ଗଣତି କିଛି ଅଫିସରଙ୍କୁ ଛାଡିଦେଲେ କମିଶନରଙ୍କ କଥାକୁ କେହି ଖାତିର କରୁନଥିବା ପୂର୍ବତନ କର୍ପୋରେଟର ଙ୍କୁ ପଚାରେ କିଏ । ଯଦି ଆଗାମୀ ଦିନରେ ସାନିଟାଇଜେସନ ଓ ସଫେଇ କାମ ଠିକ ଭାବରେ ନ କରାଯାଏ ତେବେ ରାଜଧାନୀରୁ କରୋନା କଟକଣା ଉଠିବା ପରେ ତୀବ୍ର ଜନ ଆନ୍ଦୋଳନ ହେବା ନେଇ ପୂର୍ବତନ କର୍ପୋରେଟରମାନେ ସତର୍କ କରାଇଛନ୍ତି ” ।

Leave a comment