ରକ୍ତଦାନ ଆୟୁଷ୍ମାନଙ୍କ ସ୍ମୃତିରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ‘ଆୟୁଷ୍ମାନ’ ନାଁଟା ମା’, ବାପାଙ୍କ ଯେତେ ଆପଣାର ସ୍କୁଲ ସାଙ୍ଗ ସାଥି ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସେତିକି ପ୍ରିୟ । ମାତ୍ର ଦୁନିଆରେ ନିଜ ଅସ୍ତିତ୍ବକୁ ବୁଝିବା ପୂର୍ବରୁ ଠିକ ବର୍ଷକ ତଳେ ଏକ ଦୁଃଖଦ ଦୁର୍ଘଟଣାର ଶୀକାର ହୋଇ ଭଗବାନଙ୍କ ପାଖକୁ ଫେରିଯାଇଛନ୍ତି । ନିଜର ହୃଦୟର ସ୍ପନ୍ଦନକୁ ହରାଇଥିବା ପରିବାର ତଥା ବାପା ଏସିପି ସଂଜୀବ ଶତପଥି ଓ ମା’ ସମିତା ମହାପାତ୍ର ରବିବାର ଆୟୁଷ୍ମାନଙ୍କ ସ୍ମରଣ ଉର୍ଦ୍ଦେଶ୍ୟରେ ଏକ ରକ୍ତଦାନ ଶିବିରର ଆୟାଜନ କରିବା ସହ ଗରିବ ଓ ଅସହାୟଙ୍କୁ କମ୍ବଳ ବଣ୍ଟନ କରିଛନ୍ତି ।

ଆୟୁଷ୍ମାନଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଗତ ରବିବାର ଦିନ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ କମିଶନରେଟ ପୁଲିସରେ କାର୍ଯ୍ୟରତ ଏସିପି, ଇନ୍ସପ୍ଟେରଙ୍କ ସମେତ ବହୁ କର୍ମଚାରୀ ରକ୍ତଦାନ କରିଥିଲେ । ଏଥିସହିିତ ଅନେକ ସାମ୍ବାଦିକ ଓ ସାଧାରଣ ଲୋକେ ମଧ୍ୟ ସ୍ୱଇଚ୍ଛାରେ ଆସି ରକ୍ତଦାନ କରିଥିଲେ । ତେବେ ଏହି ରକ୍ତଦାନ ଶିବିରରେ ମୋଟ ୬୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଯାହା ଇନହାଉସ ରକ୍ତ ସଂଗ୍ରହରେ ରେକର୍ଡ ସୃଷ୍ଟି କରିଛି ବୋଲି ବ୍ଳଡବ୍ୟାଙ୍କ ଡାକ୍ତର ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି ।

ସେହିପରି ସନ୍ଧ୍ୟାରେ ଅସହାୟ ଓ ଗରିବଙ୍କୁ ବିଶେଷ କରି ରାସ୍ତା କଡରେ ଶୋଉଥିବା ଲୋକଙ୍କୁ ଏସିପି ଶ୍ରୀଶତପଥି ଓ ତାଙ୍କ ପତ୍ନୀ କମ୍ବଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପୁଲିସ କମିଶନର ତଥା ଭୁବନେଶ୍ୱର ଡିସିପି (ଇନଚାର୍ଜ) ଅନୁପ ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ଆୟୁଷ୍ମାନଙ୍କ ସ୍ମରଣ ଉଦ୍ଦେଶ୍ୟରେ କରାଯାଇଥିବା ରକ୍ତଦାନ ଶିବିରକୁ ସଫଳ କରିଥିବାରୁ ଏସିପି ଶ୍ରୀ ଶତପଥି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a comment