ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ରକ୍ତଦାନ କଲେ ମହିଳା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ମହିଳା ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି । କୋଭିଡ୍‌-୧୯ ଗାଇଡଲାଇନକୁ ପାଳନ କରି ବିଜୁ ମହିଳା ଜନତା ଦଳ ପକ୍ଷରୁ ‘ଜୀବନ ବିନ୍ଦୁ’ ଓ ‘ମୋ ପରିବାର’ ସହଯୋଗରେ ଆଜି ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ କେବଳ ମହିଳାମାନେ ରକ୍ତଦାନ କରିଛନ୍ତି । ୭୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।
ରାଜ୍ୟରେ ରକ୍ତଦାନ ଅଭାବକୁ ଦୂର କରିବା ନିମନ୍ତେ ୨୦୧୫ ମସିହାରେ ବିଜେଡି ସଭାପତିଙ୍କ ସାମାଜିକ ପ୍ରତିବଦ୍ଧତା ଓ ଦୂରଗାମୀ ନିଷ୍ପତ୍ତି ଏବେ ଏହି ରକ୍ତଦାନ କାର୍ଯ୍ୟକ୍ରମ ‘ଜୀବନ ବିନ୍ଦୁ’କୁ ଏକ ସାମାଜିକ ଅଭିଯାନରେ ପରିଣତ କରିପାରିଛି । ସାଧାରଣତଃ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତାର ସମସ୍ୟା ଲାଗି ରହୁଥିବା ବେଳେ ଆଜି ଏତେ ସଂଖ୍ୟକ ମହିଳା ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବା ନିଶ୍ଚିତ ଭାବେ ସମାଜ ଓ ଅନ୍ୟ ମହିଳାଙ୍କ ନିମନ୍ତେ ପ୍ରେରଣାଦାୟୀ ହେବ । ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ମାନବ୍ୟର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏବେ ରାଜ୍ୟବ୍ୟାପୀ ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ହେଉଥିବା ବେଳେ ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳ ଦ୍ୱାରା ରାଜ୍ୟର ସମସ୍ତ ଜିଲ୍ଲାରେ ବ୍ୟାପକ ଭାବେ କେବଳ ମହିଳାଙ୍କୁ ନେଇ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି ।
ଏହି କାର୍ଯ୍ୟକ୍ରମରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବିଜେଡି ଉପସଭାପତି ଉଷା ଦେବୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ପ୍ରଣବ ବଳବନ୍ତରାୟ, ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ‘ଓଡ଼ିଶା-ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମିଶନଶକ୍ତି ଉପଦେଷ୍ଟା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା (ମହିଳା ସଶକ୍ତିକରଣ) ଡଃ ଲୋପାମୁଦ୍ରା ବକ୍ସିପାତ୍ର, ଓଟିଡିସି ଅଧ୍ୟକ୍ଷା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଓ ମୁଖପାତ୍ର ଶ୍ରୀମୟୀ ମିଶ୍ର, ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ସୁଲତା ଦେଓ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଗୀତାଞ୍ଜଳି ବସ୍ତିଆ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ସୁମିତ୍ରା ଜେନା, ବିଜୁ ମହିଳା ଜନତା ଦଳର ମହାସଚିବ କସ୍ତୁରୀ ମହାପାତ୍ରଙ୍କ ସମେତ ବିଜୁ ମହିଳା ଜନତା ଦଳର ଅଧିକାଂଶ ରାଜ୍ୟ କର୍ମକର୍ତ୍ତା ଓ ବିଜେଡି ପରିବାରର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave a comment