ପାଣ୍ଡିଆନ୍ଙ୍କୁ କଳାପତାକା ଦେଖାଇଲେ ବିଜେପି କର୍ମୀ

ଓଡ଼ିଶା ଫାଷ୍ଟ ବ୍ୟୁରୋ : ରାଜ୍ୟରେ ୫ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ ବିଭିର୍ନ ଜିଲ୍ଲା ଗସ୍ତକୁ ନେଇ ବିଜେପି ଧୀରେ ଧୀରେ ବିରୋଧ କରିବା ଆରମ୍ଭ କଲାଣି । ଆଜି ୫ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିଛି ବିଜେପି । କଣ୍ଟାମାଳ ବିଜେପି କର୍ମୀମାନେ ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ।
୫ଟି ସଚିବଙ୍କର ଆମ୍ବଗାଁ ପଡିଆରେ ଏକ ବିଶାଳ ସଭା ଏବଂ ୫ଟି ସ୍କୁଲ ପରିଦର୍ଶନର କାର୍ଯ୍ୟକ୍ରମ ରହିଥିଲା। ସେହି ସଭାସ୍ଥଳର ଗେଟ ସମ୍ମୁଖରେ ବିଜେପିର ନେତା ଓ କର୍ମୀମାନେ କଳା ପତାକା ପ୍ରଦର୍ଶନ କରିବା ସହ ‘ପାଣ୍ଡିଆନ ଗୋ ବ୍ୟାକ୍’ ନାରା ଦେଇଥିଲେ । ପରେ ସଭାସ୍ଥଳକୁ କର୍ମୀମାନେ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଗତକାଲି ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ ଆମ ଆଦମୀ ପାର୍ଟି ପକ୍ଷରୁ ୫ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼ କରାଯାଇଥିଲା। ଏହା ସରକାରୀ ଗସ୍ତ ନୁହେଁ, ବରଂ ଏହା ବିଜେଡି ଦଳର ଗସ୍ତ ବୋଲି ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଥିଲା। ପୂର୍ବରୁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ବିଜେପି ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି।