ବୁଥବାହୁଡ଼ା ମତ, ସଂଖ୍ୟାଗରିଷ୍ଠତା ପାଇବ ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନର ସପ୍ତମ ବା ଶେଷ ପର୍ଯ୍ୟାୟ ନିର୍ବାଚନ ରବିବାର ସମାପ୍ତ ହୋଇଛି । ଆସନ୍ତା ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ତେବେ ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ୍‌ବାହୁଡ଼ା ମତ ପ୍ରକାଶ କରାଯାଇଛି । ସର୍ବଭାରତୀୟ ସ୍ତରରେ ଏନ୍‌ଡିଏକୁ ପୁନର୍ବାର ସଂଖ୍ୟାଗରିଷ୍ଠତା ମିଳିବ ବୋଲି ସମସ୍ତ ସଂସ୍ଥା ପୂର୍ବାନୁମାନ କରିଛନ୍ତି ।

ସେହିପରି ଓଡ଼ିଶାରେ ବିଜେପି ପୂର୍ବାପେକ୍ଷା ବହୁତ ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରାଯାଇଛି । ଗତ ସାଧାରଣ ନିର୍ବାଚନରେ ବିଜେପି କେବଳ ସୁନ୍ଦରଗଡ଼ ଆସନ ଜିତିବାକୁ ସକ୍ଷମ ହୋଇଥିଲା । ଏଥର କିନ୍ତୁ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିବ ଓ ବିଜେଡି ପୂର୍ବାପେକ୍ଷା ଖରାପ ପ୍ରଦର୍ଶନ କରିବ ବୋଲି ଏହି ଆକଳନରୁ ଜଣାପଡିଛି ।
ଇଣ୍ଡିଆ ଟୁଡେ କରିଥିବା ଏକଜିଟ ପୋଲ ମତ ଅନୁଯାୟୀ, ବିଜେପି ଓଡ଼ିଶାରେ ୧୫ରୁ ୧୯ ଆସନ ଜିତିବାର ସମ୍ଭାବନା ରହିଛି । ବିଜେଡିର ଆସନ ସଂଖ୍ୟା ହ୍ରାସପାଇ ୨ରୁ ୬ ମଧ୍ୟରେ ସୀମିତ ରହିପାରେ । ସେହିପରି କଂଗ୍ରେସ ଶୂନରୁ ଗୋଟିଏ ଆସନ ହାତେଇପାରେ । ‘ଟାଇମ୍ସ ନାଓ’ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ବିଜେଡି-୮, ଭାଜପା-୧୨ ଏବଂ କଂଗ୍ରେସ-୧ ଆସନ ପାଇବ । ରିପବ୍ଲିକ ବିଜେଡି-୧୦, ଭାଜପା-୧୧ ଏବଂ କଂଗ୍ରେସକୁ-୦ ଆସନ ପ୍ରଦାନ କରିଛି । ‘ଏନ୍‌ଡି ଟିଭି’ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ବିଜେପି ଓ ବିଜେଡି ଉଭୟଙ୍କୁ ୧୦ ଲେଖାଏ ଆସନ ମିଳିବ । କଂଗ୍ରେସକୁ ଗୋଟିଏ ମାତ୍ର ଆସନ ମିଳିବ । ଏବିପି ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ବିଜେପିକୁ ୧୨, ବିଜେଡିକୁ ୯ ଆସନ ଦିଆଯାଇଛି । କଂଗ୍ରେସ ପୂର୍ବଭଳି ଖାତା ଖୋଲି ନ ପାରେ ବୋଲି ଏବିପି ଅନୁମାନ କରିଛି ।

Leave a comment