୨୦୨୨ରେ ପାଞ୍ଚ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ସହ ନିର୍ବାଚନ ଲଢିବ ବିଜେପି !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାବର୍ଷ ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ନେଇ ଶାସକ ବିଜେପିଠୁ ନେଇ ବିରୋଧୀ ସମସ୍ତେ ରଣନୀତି ପ୍ରସ୍ତୁତିରେ ଜୁଟି ଯାଇଛନ୍ତି। ହେଲେ ନିର୍ବାଚନୀ ବିଶେଷଜ୍ଞଙ୍କ ଅନୁଯାୟୀ, ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ବର୍ତ୍ତମାନ ଥିବା ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନିର୍ବାଚନ ଲଢିବ।

୨୦୨୨ରେ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସୂତ୍ର ଅନୁଯାୟୀ, ପାର୍ଟି ହାଇକମାଣ୍ଡ ମନୋହର ପାରିକରଙ୍କ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ପ୍ରମୋଦ ସାଓ୍ଵନ୍ତଙ୍କ ଚେହେରାରେ ନିର୍ବାଚନ ଲଢିବ। ଏହିପରି ଉତ୍ତରାଖଣ୍ଡରେ ମଧ୍ୟ ବିଜେପି ପୁଷ୍କର ସିଂହ ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଆଗକୁ ରଖି ନିର୍ବାଚନ ଲଢିବ। ଧାମିଙ୍କୁ କିଛି ସପ୍ତାହ ପୂର୍ବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି। ସେ ଯୁବ ଚେହେରା ଏବଂ ସ୍ଵଚ୍ଛ ଭାବମୂର୍ତ୍ତି। ସେହି ଦୃଷ୍ଟିରୁ ବିଜେପି ଏଠାରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଧାମିଙ୍କ ଚେହେରାରେ ନିର୍ବାଚନ ଲଢିପାରେ।

ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କୁ ନେଇ କିଛି ସମୟ ପୂର୍ବେ ସଂଶୟ ସ୍ଥିତି ଦେଖିବାକୁ ମିଳିଥିଲା। ମାତ୍ର ଏବେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗୀଙ୍କ ଅନେକ ଥର ପ୍ରଶଂସା କରି ସାରିଛନ୍ତି। ଏମିତିରେ ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷିତ କରି ତାଙ୍କ ନେତୃତ୍ଵରେ ଦଳ ନିର୍ବାଚନ ଲଢିପାରେ ବିଜେପି।

ମଣିପୁରରେ ଏନ ବୀରେନ ସିଂହ ମୁଖ୍ୟମନ୍ତ୍ରୀ ଅଛନ୍ତି। ସେଠାରେ ମଧ୍ୟ ପାର୍ଟି ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷିତ କରି ନିର୍ବାଚନ ଲଢିବ। ଅପରପକ୍ଷେ ପଞ୍ଜାବରେ ବିଜେପି ପୂର୍ବରୁ ଘୋଷଣା କରି ସାରିଛି ଯେ, ଯଦି ବିଜେପି କ୍ଷମତାକୁ ଆସେ ତେବେ କୌଣସି ଦଳିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ। ତେଣୁ ଏମିତିରେ ସମ୍ଭାବନା ରହିଛି ଯେ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଜୟ ସାମ୍ପଲାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ଘୋଷଣା କରାଯାଇପାରେ।

Leave a comment