ରାଜ୍ୟରେ ବିଜେପି ଏକାକୀ ଲଢିବ: ମନମୋହନ ସାମଲ
ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ନେଇ ଦ୍ବନ୍ଦ୍ବ ଚାଲିଥିବା ବେଳେ ଏଥିରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି ମନମୋହନ ସ୍ପଷ୍ଟ କରିଛନ୍ତି । ଏ ନେଇ ‘ଏକ୍ସ’ ଜରିଆରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବୁ ବୋଲି ସେ ଲେଖିଛନ୍ତି ।
ସେ ଲେଖିଛନ୍ତି, ଗତ ୧୦ ବର୍ଷ ଧରି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ବ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି । ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ । ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ । କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି । ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନାହୁଁ । ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ।
ମନମୋହନଙ୍କ ଏଭଳି ସୂଚନା ପରେ ମେଣ୍ଟ ନହେବାକୁ ନେଇ ଅପରାଜିତା ଷଡଙ୍ଗୀ ବଡ଼ ବୟାନ ରଖିଛନ୍ତି । ଅପରାଜିତା କହିଛନ୍ତି, ମେଣ୍ଟ ପାଇଁ ବିଜେଡି ନିବେଦନ କରିଥିଲା ବିଜେପି ରିଜେକ୍ଟ କରିଛି । ସଭାପତିଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରୁ ସବୁ ସ୍ପଷ୍ଟ ହୋଇଯାଇଛି । ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଓଡ଼ିଶାବାସୀ ଚାହୁଁଥିଲେ । ବିଜେପି ଏକାକୀ ଲଢିବ । ୧୪୭ ବିଧାନସଭା ଓ ୨୧ ଲୋକସଭାରେ ପ୍ରାର୍ଥୀ ଦେବ ବୋଲି ଅପରାଜିତା କହିଛନ୍ତି ।