ଆସନ୍ତା ୨୯ରେ ଓଡିଶା ରାଜନୀତିରେ ରଣ ହୁଙ୍କାର; ମୁହାଁମୁହିଁ ବିଜେଡି- ବିଜେପି

ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହେଲାଣି ରାଜନୀତି । ଶାସକ ଦଳ ନିଜର ସତ୍ତା ବଜାୟ ରଖିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଅନ୍ୟ ବିରୋଧୀ ଦଳ ମାନେ ରାଜ୍ୟରେ ସତ୍ତା ପାଇବା ପାଇଁ ପ୍ରୟାସ ଆରମ୍ଭ କଲାଣି । ତେବେ ଏଥିପାଇଁ ସମସ୍ତ ଦଳ ଜୋରସୋରରେ କସରତ ଆରମ୍ଭ କରିଦେଲେଣି । ତେବେ ଏହାରି ମଧ୍ୟରେ ଜଣାପଡିଛି ଯେ ଗୁରୁବାର ଅର୍ଥାତ ଆସନ୍ତା ୨୯ ଦିନ ଦଳମାନଙ୍କ ପକ୍ଷରୁ ଭୁବନେଶ୍ୱରର ଭିନ୍ନ ଭିନ୍ନ ଜାଗାରେ ସବୁ ସମାବେଶ କରିବା ନେଇ ଯୋଜନା ପ୍ରସ୍ତୁତି ଶେଷ ହୋଇଛି । ତେବେ ଏହି ସମାବେଶରେ ଗୋଟିଏ ପଟେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟପଟେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରଣ ହୁଙ୍କାର ଶୁଣିବାକୁ ମିଳିବ । ଅନ୍ୟପଟେ କଂଗ୍ରେସ ଭାରତ ଯୋଡ କାର୍ଯ୍ୟକ୍ରମ ମାଧ୍ୟମରେ ସେଦିନ ଲୋକଙ୍କ ନିକଟରେ ପଂହଁଚିବା ପାଇଁ ସଭାପତି ଶରତ ପଟ୍ଟନାୟକ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଓଡିଶାରେ ଆମ ଆଦମୀ ପାର୍ଟି ମଧ୍ୟ ୨୯ ତାରିଖରେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରଖିଛି।
ବିଜେଡି ପକ୍ଷରୁ ବରମୁଣ୍ଡା ପଡିଆରେ ବିରାଟ ସମାବେଶ କରିବ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏଥିରେ ସମସ୍ତ ବିଧାୟକ ସାଂସଦ, ଛାମୁଆ ସଂଗଠନର ମୁଖିଆ ଏବଂ ଅନ୍ୟ ନିର୍ବାଚିତ ପ୍ରତିନିଧି ଯୋଗଦେବେ। ସେହିପରି ସେହି ଦିନ ବିଜେପି ମଧ୍ୟ ଭୁବନେଶ୍ବରର ଜନତା ମଇଦାନରେ ଅନୁରୂପ ମହାସମାବେଶର ଆୟୋଜନ କରିଛି। ସେହି ସଭାରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିପାଇଁ ବିଜେପି ତରଫରୁ ବହୁ ଆଡମ୍ବର କରାଯାଇଛି। ତେବେ ନଡ୍ଡା ୨୯ ତାରିଖ ସକାଳେ ଆସିବେ। ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟକୁ ନିଆଯିବ।
ସେହିପରି ବିଜେଡି, ବିଜେପିକୁ ଶକ୍ତିହୀନ ପ୍ରମାଣିତ କରିବା ପାଇଁ ତାହାର ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ ଜାରୀ ରଖିଛି। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏହି ପ୍ରସ୍ତୁତି ଜୋରଦାର କରାଯାଇଛି। ବରମୁଣ୍ଡା ପଡିଆରେ ଯେପରି ଶୃଙ୍ଖଳିତ ଭାବେ ଏହି କାର୍ଯ୍ୟକ୍ରମ ସଫଳତାର ସହ ହେବ ସେ ନେଇ ପ୍ରଣବ ପ୍ରକାଶ ଘନଘନ ବୈଠକ ଜାରି ରଖିଛନ୍ତି ।