ପାଟକୁରାରେ ବିଜେଡି ଆଗରେ ଆତ୍ମ ସମର୍ପଣ କରିଛି ବିଜେପି: ନିରଞ୍ଜନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବର୍ତ୍ତମାନ‌ ଉଷ୍ମ ହୋଇଛି । ୨୦୧୯ ସାଧାରଣ ନିର୍ବାଚନରେ ୧୪୬ ଆସନ ପାଇଁ ଭୋଟ ହୋଇଥିବାବେଳେ କେବଳ ପାଟକୁରା ଆସନ ଏଥିରୁ ବାଦ୍‌ ପଡିଥିଲା । ଦୁଇ ଦୁଇ ଥର ସ୍ଥଗିତ ରହିବା ପରେ ଏହି ଆସନରେ ନିର୍ବାଚନ ତାରିଖ ଘୋଷଣା ହୋଇଛି । ତେବେ ଏହି ଗୋଟିଏ ଆସନ ହାତେଇବା ସକାଶେ ରାଜ୍ୟ ଯାକର ନେତା ପାଟକୁରାରେ ପହଞ୍ଚି ଯାଇଛନ୍ତି । ବିଜେଡିର ଗଣ୍ଡାଗଣ୍ଡା ନେତା ପଞ୍ଚାୟତ ଦାୟିତ୍ୱ ପାଇ ସେଠାରେ କିଛିଦିନ ହେବ ଡେରା ପକାଇଥିବା ବେଳେ ଭାଜପା ନେତାମାନେ ଏବେ ପାଟକୁରା ମୁହାଁ ହେଉଛନ୍ତି । ବିଜେପି ଏମ୍‌ପିମାନେ ହିଁ ଦଳର ପ୍ରମୁଖ ଚେହେରା ଭାବେ ସେଠାରେ ପ୍ରଚାର ଚଳାଇଛନ୍ତି । ହେଲେ କଳେବଳେ ଏହି ଆସନ ହାତେଇବା ଲାଗି ବିଜେଡି ପୂରା ଦମ୍‌ରେ ଲାଗିପଡିଛି ।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ପ୍ରଚାର କରିବାକୁ ଆସିବାର କୌଣସି କାର୍ଯ୍ୟକ୍ରମ ରଖାଯାଇନାହିଁ । ଫଳରେ ଦୁଇନେତାଙ୍କ ଓଡିଶା ଗସ୍ତ ନହେବା ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ରହିଥିବା ଚର୍ଚ୍ଚା ଜୋର୍‌ ଧରିଛି ।

ସେହିପରି ଏହି ଦୁଇ ନେତାଙ୍କ ଗସ୍ତ କାର୍ଯ୍ୟକ୍ରମ ନ ଥିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେପି ପାଟକୁରାରେ ବିଜେଡି ନିକଟରେ ଆତ୍ମସମର୍ପଣ କରିଛି । ରାଜ୍ୟ ସଭା ଆସନ ବୁଝାମଣା ଏହାର ଉଦାହରଣ । ରାଜ୍ୟ ସଭା ଆସନ ବୁଝାମଣା କଥାକୁ ଏ ପର୍ଯ୍ୟନ୍ତ ବିଜେପି ନେତାମାନେ ବୁଝିପାରି ନାହାନ୍ତି ବୋଲି ନିରଞ୍ଜନ କହିଛନ୍ତି ।

Leave a comment