ମମିତା ମେହେର ହତ୍ୟା ମାମଲା: ବିଜେପିର ୮ ଘଣ୍ଟିଆ ବନ୍ଦ ପାଳନ

0

୮ ଘଣ୍ଟିଆ ପଦ୍ମପୁର ବନ୍ଦ । ଅଖ, ଚକ ବନ୍ଦ ଘୋଷଣା କରିଛି ପଦ୍ମପୁର ବିଜେପି। ମମିତା ମେହେର ଓ ଗୋବିନ୍ଦ କୁମ୍ଭାର ହତ୍ୟାକାଣ୍ଡର ସି.ବିଆଇ ତଦନ୍ତ ଦାବିରେ ଏହିବନ୍ଦ କରାଯାଇଛି । ମୁଖ୍ୟତଃ ମମିତା ମେହେର ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ସହ ବହିଷ୍କାର ଦାବି କରିଛି ବିଜେପି । ମମିତାଙ୍କ ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ବିଜେପି ବାରମ୍ବାର ଅଭିଯୋଗ ଆଣିଛି । ଏହାସହ ସିବିଆଇ ତଦନ୍ତ ଦାବିରେ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ପଦ୍ମପୁର ବନ୍ଦ ପାଳନ କରୁଛି ଦଳ । ବନ୍ଦ ବେଳେ ପଦ୍ମପୁର ଉପଖଣ୍ଡର ସମସ୍ତ ବ୍ଲକରେ ସ୍କୁଲ, କଲେଜ, ଦୋକାନ ବଜାର ସହ ସରକାରୀ ଅଫିସ ବନ୍ଦ ରହିଛି । ଦଳର ଏହି ବନ୍ଦ ଡାକରାକୁ ସହଯୋଗ ପାଇଁ ଦଳ ନିବେଦନ କରିଛି ।

ସେହିପରି ବରଗଡ଼ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାର ଓ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ତାତି ଥମୁନି । ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ବରଗଡ଼ରେ ଆଠ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେପି ।

ସୂଚନାନୁସାରେ, ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ବରଗଡ଼ ଟାଉନ ଥାନାରେ ପୋଲିସ ହେପାଜତରେ ମୃତ୍ୟୁ ହୋଇଥିଲା । ଘଟଣାର ଅଭିଯୁକ୍ତ ପୋଲିସ କର୍ମଚାରୀମାନଙ୍କୁ ତୁରନ୍ତ ଗିରଫ ଓ ଗୋବିନ୍ଦ କୁମ୍ଭାରଙ୍କ ବିଧବା ପତ୍ନୀଙ୍କୁ ସରକାରୀ ଚାକିରୀ ପ୍ରଦାନ ପାଇଁ ବିଜେପି ଦାବି କରିଛି । ଆହୁରି ମଧ୍ୟ ଗୋବିନ୍ଦ କୁମ୍ଭାରଙ୍କ ପରିବାରକୁ ଆଇନ ଅନୁଯାୟୀ ଆର୍ଥିକ କ୍ଷତିପୂରଣ ପ୍ରଦାନ ଏବଂ ବଲାଙ୍ଗୀର ଜିଲ୍ଲାର ମମିତା ମେହେର ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଦାବି କରାଯାଇଛି । ସେହିପରି ହତ୍ୟାକାଣ୍ଡର ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ଓଡିଶା ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଭାରତୀୟ ଜନତା ପାର୍ଟି ତରଫରୁ ବନ୍ଦ ଡାକରା ଦିଆଯାଇଛି । ସୋମବାର ଦିନ ୬ ଘଣ୍ଟାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ବରଗଡ ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିବ।


ଦଳୀୟ କର୍ମୀମାନେ ସହରରେ ପିକେଟିଂ କରିବା ସହ ବିଭିନ୍ନ ଛକମାନଙ୍କରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସହରରେ ଦୋକାନ ବଜାର ସହ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ସେହିପରି ଜରୁରୀକାଳୀନ ସେବା ଭାବେ ଆମ୍ବୁଲାନ୍ସକୁ ଛାଡି ଦେଲେ ସମସ୍ତ ଯାନ ବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ଜାତୀୟ ରାଜପଥର ଉଭୟ ପଟରେ ବହୁ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି ।

Leave a comment