ସରକାର ବଦଳିବା ଦରକାର ! ଭାଜପାର ଆରମ୍ଭ କଲା ଶୋଭାଯାତ୍ରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୯ବର୍ଷ ଶାସନରେ ଥିବା ବିଜେଡି ସରକାରଙ୍କୁ ଶାସନରୁ ହଟାଇବାକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସରକାର ବଦଳିବା ଦରକାର ବିଷୟକୁ ନେଇ ଏକ ଶୋଭାଯାତ୍ରା ଆରମ୍ଭ ହେବ । ଆଜିଠୁ ଏହି ଶୋଭାଯାତ୍ରା ଆରମ୍ଭ ହେଉଥିବା ବେଳେ ପ୍ରଥମେ ମାହାଙ୍ଗା ଏବଂ ନିମାପଡ଼ାରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହେବ । ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ଶୋଭାଯାତ୍ରା କରାଯିବ ବୋଲି ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ରାଜ୍ୟ ଭାଜପା କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରଭାତୀ କହିଥିଲେ ଯେ, ମହିଳା ମୋର୍ଚ୍ଚା ପ୍ରତି ନିର୍ବାଚନମଣ୍ଡଳୀରେ ସରକାର ବଦଳିବା ଦରକାର ବିଷୟକୁ ନେଇ ପଦଯାତ୍ରା ଓ ସଙ୍କଳ୍ପ ସଭା କରିବ । ସମାଜର ପ୍ରତିଟି କ୍ଷେତ୍ରରେ ମହିଳା ଅବହେଳିତ, ଅସୁରକ୍ଷିତ, ନିଷ୍ପେଷିତ ଏବଂ ଅସମ୍ମାନିତ । ମହିଳାଙ୍କୁ ସୁରକ୍ଷା ଏବଂ ନାରୀଙ୍କୁ ସମ୍ମାନ ରାଜ୍ୟ ସରକାରଙ୍କ କେବଳ ବିଜ୍ଞାପନରେ ସୀମିତ । ଏହିଭଳି ସରକାରଙ୍କ ମହିଳା ବିରୋଧୀ କାର୍ଯ୍ୟକ୍ରମ ବିରୋଧରେ ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ଶୋଭାଯାତ୍ରା କରିବ ବୋଲି ପ୍ରଭାତୀ ସୂଚନା ଦେଇଥିଲେ ।