ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟଲା : ରାଜଭବନ ଆଗରେ ବିଜେପିର ଧାରଣା
ଓଡିଶା ଫାଷ୍ଟ (ବ୍ୟୁରୋ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟଲା ହୋଇଥିବା ଦାବି କରିଛି ରାଜ୍ୟ ବିଜେପି । ଏନେଇ ରାଜଭବନ ଆଗରେ ବିଜେପି ଦେଇଛି ବିଶାଳ ଧାରଣା ।
ଗ୍ରାମାଂଚଳ ଓ ସହରାଂଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଉସିଂ ଫର ଅଲ୍ ୨୦୨୨ ଆବାସ ଯୋଜନାରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ଘୋଷଣା ହୋଇଥଲା । ଏହି ଯୋଜନାରେ ଓଡିଶାରେ ୧୬ ଲକ୍ଷରୁ ଉର୍ଧ ପକ୍କା ଘର ନିର୍ମାଣ ହୋଇସାରିଛି । ଏହି ଯୋଜନାକୁ ରାଜ୍ୟସରକାର ଅନୈତିକ ଭାବେ ନିଜ ନାମ ଦେଇ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହାକୁ ବିରୋଧକରି କିଛିଦିନ ତଳେ ରାଜ୍ୟ ବିଜେପି ସମସ୍ତ ବ୍ଲକ, ଏନଏସି, ମ୍ୟୁନିସପାଲଟି ଆଗରେ ଜୋରଦାର ବିକ୍ଷୋଭ କରିଥିଲା । ଏହା ସହିତ ରାଜ୍ୟପାଳ ଓ ବିଡିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ମଧ୍ୟ କରାଯାଇଥିଲା । ହେଲେ ରାଜ୍ୟସରକାର ଏହାକୁ କର୍ଣ୍ଣପାତ କରୁ ନଥିବାରୁ ଏହାର ପ୍ରତିବାଦ ସରୂପ ଆଜି ରାଜଭବନ ସମ୍ମୁଖରେ ଧାରଣା ଦେଇଛି ରାଜ୍ୟ ବିଜେପି ।
ଅପରପକ୍ଷରେ ଏହି ପ୍ରସଙ୍ଗରେ ବିଜେଡି ତାର ଜବାବ ରଖିଛି । ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ ସେଥିପାଇଁ ତୁଛା ରାଜନୀତି କରୁଛି ବୋଲି ବିଜେଡି ପ୍ରକାଶ କରିଛି । ସରକାରଙ୍କ ଭଲ ପ୍ରଦର୍ଶନ ପାଇଁ କେନ୍ଦ୍ର ସରକାର ପ୍ରଶଂସା କରିବା ସହ ପୁରସ୍କୃତ ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ୬୦ ପ୍ରତିଶତ ଓ ରାଜ୍ୟର ୪୦ ପ୍ରତିଶତ ଅଂଶ ରହିଛି । ଯଦି ରାଜ୍ୟର ପ୍ରଶାସନିକ ଖର୍ଚ୍ଚ ଓ ତଦାରଖ ଖର୍ଚ୍ଚ ଆଦିକୁ ମିଶାଇଲେ ଏହା କେନ୍ଦ୍ରର ଅଂଶ ଠାରୁ ଅଧିକ ହୋଇଯିବ। ଏହା ବାଦ୍ ଓଡ଼ିଶାର ଯେଉଁ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଉ ନାହାନ୍ତି, ସେମାନଙ୍କୁ ବିଜୁ ପକ୍କା ଘର ଯୋଜନାରେ ଘର ଦିଆଯାଉଛି । ଏହି ଯୋଜନାରେ ରାଜ୍ୟ ସରକାର ସବୁ ଖର୍ଚ୍ଚ ବହନ କରୁଛନ୍ତି । ବିଜେଡି ସରକାରଙ୍କ ଆବାସ କାର୍ୟ୍ୟକ୍ରମରେ ଓଡ଼ିଶାର ଲୋକମାନେ ବହୁତ ସୁବିଧା ପାଉଛନ୍ତି । ବିଜେପି ନେତା ଏହାକୁ ସହ୍ୟ କରିପାରୁ ନାହାନ୍ତି ।