ପ୍ରକାଶିତ ପୌର ନିର୍ବାଚନ ବିଜ୍ଞପ୍ତି ରଦ୍ଦ କରି ନୂତନ ବିଜ୍ଞପ୍ତି ପ୍ରକାଶ ଦାବୀରେ ବିଜେପିର ଧାରଣା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ପୌରାଂଚଳ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଗତ ୨ ତାରିଖ ଦିନ ବିଜ୍ଞପ୍ତି ଜାରୀ କରିଛନ୍ତି । ଯାହାକି “ରାଜ୍ୟ ମ୍ୟୁନିସିପାଲ କର୍ପୋରେସନ ଆଇନ-୨୦୦୩”କୁ ସଂପୂର୍ଣ୍ଣ ଉଲ୍ଲଂଘନ କରିଛି । ଧାର୍ଯ୍ୟ ଆଇନକୁ ଖିଲାପ କରି ତରବରିଆ ଭାବେ ବିଜ୍ଞପ୍ତି ପ୍ରକାଶ କରିବା ପଛର କାରଣ କ’ଣ ? ନିର୍ବାଚନ କମିଶନ ଏଭଳି ଅହେତୁକ ଅନୁକଂପା ପ୍ରଦର୍ଶନ କରିବା ପଛରେ ରହସ୍ୟ କ’ଣ ? ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ କି ବୋଲି ସାଧାରଣରେ ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ରାଜ୍ୟ ନିର୍ବାଚନ କମିଶନଙ୍କ ନିରବତା ମଧ୍ୟ ସନ୍ଦେହ ସୃଷ୍ଟି କରିଛି ।
ବିଜ୍ଞପ୍ତି ଅନୁଯାୟୀ ପ୍ରାଥମିକ ଭୋଟର ତାଲିକା ଆସନ୍ତା କାଲି ୧୦ ତାରିଖ ଦିନ ପ୍ରକାଶ ପାଇବ । ଭୋଟରଙ୍କ ସ୍ୱାର୍ଥ ଦୃଷ୍ଟିରୁ ତାଲିକାରେ ଥିବା କୌଣସି ତୃଟି ବା ଅଭିଯୋଗ ଏବଂ ଏହାର ସମାଧାନ ପାଇଁ ସମୟ ସୀମା ନିର୍ଦ୍ଧାରଣ ହେଇଛି । ମାତ୍ର ଆଗାମୀ ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଅଭିଯୋଗ ଦାଖଲ ସମୟ ସୀମା ୧୦ ଦିନରୁ ହ୍ରାସ କରାଯାଇ ୬ ଦିନ (ଫେବୃୟାରୀ ୧୧ ରୁ ୧୬ ତାରିଖ) କରାଯାଇଛି । ସେହିପରି ଦାଖଲ ହୋଇଥିବା ଅଭିଯୋଗର ତଦନ୍ତ ଓ ଫଇସଲା ପାଇଁ ନିୟମ ତାବକ ଧାର୍ଯ୍ୟ ୩ ଦିନକୁ ହ୍ରାସ କରାଯାଇ ମାତ୍ର ଗୋଟିଏ ଦିନ (ଫେବୃୟାରୀ ୧୮) ପାଇଁ କରାଯାଇଛି । ଏହି ଅଳ୍ପ ସମୟରେ ଭୋଟର ତାଲିକାରେ ଥିବା ତୃଟିକୁ ଅନୁଧ୍ୟାନ କରି ସଂଶୋଧନ ପାଇଁ ଆବେଦନ କରିବା ଆଦୌ ସମ୍ଭବ ନୁହେଁ ।
ତେଣୁ ସାଧାରଣ ଭୋଟରଙ୍କ ମୌଳିକ ଅଧିକାର ଓ ସ୍ୱାର୍ଥ ଦୃଷ୍ଟିରୁ ତରବରିଆ ଭାବେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇ ନୂତନ ଭାବେ ବିଜ୍ଞପ୍ତି ଜାରୀ କରିବାକୁ ବିଜେପି ତରଫରୁ ଗତ ୫ ତାରିଖ ଦିନ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ କରାଯାଇଥିଲା । ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା କୌଣସି ତତ୍ପରତା ପ୍ରକାଶ ନପାଇବା କାରଣରୁ ଆଜି ରାଜ୍ୟ ବିଜେପି ତରଫରୁ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଥିଲା ।
ସାଧାରଣରେ ଭୋଟରଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଇ ନିର୍ବାଚନ ଅନୁଷ୍ଠିତ ହେବା ନିହାତି ଆବଶ୍ୟକ । ଭୋଟରମାନଙ୍କୁ ଭୋଟଦାନରୁ ବଂଚିତ କରିବାର ଅଧିକାର କାହାକୁ ଦିଆଯାଇନାହିଁ । କିନ୍ତୁ ରାଜ୍ୟରେ ଶାସକ ବିଜେଡିର ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଇ ପୌର ନିର୍ବାଚନ ଅନୁଷ୍ଠିତ କରାଯାଉଛି । ଶାସକ ବିଜେଡିର ପ୍ରତ୍ୟକ୍ଷ ଇଙ୍ଗିତରେ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟ କରୁଛନ୍ତି । ଭୋଟର ତାଲିକାରେ ବ୍ୟାପକ ଚଂଚକତା କରି ଶାସକ ବିଜେଡିକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି ନିର୍ବାଚନ କମିଶନ । ଏହା ଦ୍ୱାରା ବହୁ ସଂଖ୍ୟାରେ ସାଧାରଣ ଭୋଟର ସେମାନଙ୍କ ମୌଳିକ ଅଧିକାର ଭୋଟଦାନରୁ ବଂଚିତ ହେବେ । ସୀମା ନିର୍ଦ୍ଧାରଣ, ଠିକଣା ପରିବର୍ତନ ଆଦି କାରଣରୁ ତାଲିକାରୁ ବାଦ୍ ପଡିଥିବା ଭୋଟରମାନେ ଅଭିଯୋଗ ପାଇଁ ସମୟ ନପାଇ ଭୋଟଦାନରୁ ବଂଚିତ ହେବେ । ବିଶେଷ ଭାବେ ଭୂବନେଶ୍ୱର ମହାନଗର ସମେତ କଟକ ଓ ବ୍ରହ୍ମପୁର ମହାନଗର ନିଗମ ଅଧିନରେ ଥିବା ବହୁ ସଂଖ୍ୟାରେ ଭୋଟର ସେମାନଙ୍କ ଗଣତାନ୍ତ୍ରୀକ ଅଧିକାର ଭୋଟ ଦାନରୁ ବଂଚିତ ହେବେ । ଏହି କାରଣରୁ ଭୂବନେଶ୍ୱର ଭଳି ବୁଦ୍ଧିଜୀବି ସହରରେ ମଧ୍ୟ ଭୋଟଦାନ କ୍ରମାଗତ ହ୍ରାସ ପାଇ ୩୫-୪୦ ପ୍ରତିଶତ ଭିତରେ ରହୁଛି । ଏହା ନିଶ୍ଚିତ ଭାବେ ଗଣତନ୍ତ୍ରର ହତ୍ୟା ଏବଂ ରାଜ୍ୟରେ ଶାସକ ବିଜେଡି ନିର୍ବାଚନ କମିଶନଙ୍କୁ ବ୍ୟବହାର କରି ସାଧାରଣ ଭୋଟରଙ୍କୁ ତାଙ୍କ ମୌଳିକ ଭୋଟଦାନରୁ ବଂଚିତ କରୁଛନ୍ତି ।
ଏଭଳି ଅଗଣତାନ୍ତ୍ରୀକ ଏବଂ ଅସାମ୍ବିଧାନିକ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ସାଧାରଣ ଭୋଟରଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ନିର୍ବାଚନ କମିଶନ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ନୂତନ ବିଜ୍ଞପ୍ତି ପ୍ରକାଶ କରନ୍ତୁ । ନଚେତ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷପାତିତା ଏବଂ ଶାସକ ବିଜେଡିର କୁଚକ୍ରାନ୍ତକୁ ନେଇ ଭାରତୀୟ ଜନତା ପାର୍ଟୀ ଆନ୍ଦୋଳନ ଜରିଆରେ ଓଡିଶାବାସୀଙ୍କୁ ଅବଗତ କରାଇବ ।