ନବୀନ ବାବୁଙ୍କ ସରକାରରେ ଅରାଜକତା ଓ ହିଂସା ଶୀର୍ଷରେ ପହଂଚିଛି ଏବଂ ଗତକାଲିର ହିଂସାକାଣ୍ଡ ଏହାର ସଦ୍ୟତମ ଉଦାହରଣ: ସମୀର ମହାନ୍ତି

ଭୁବନେଶ୍ୱର,ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ତ୍ରିସ୍ତରୀୟ ପଚାଂୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଗତକାଲି ଶେଷ ହୋଇଛି । ଗତ ୨୦୧୭ ପଂଚାୟତ ନିର୍ବାଚନ ସମୟରେ ବିଜେଡିର ରାଜନୈତିକ ହିଂସାରେ ଆମ ଦଳର ୧୩ ଜଣ କାର୍ଯ୍ୟକର୍ତାଙ୍କ ମୁଣ୍ଡ ଗଡ଼ିଥିଲା ବେଳେ ପରବର୍ତୀ ସମୟରେ ମାହାଙ୍ଗା ଡବଲ ମର୍ଡର ଏବଂ ଏବେ ଭଦ୍ରକରେ ଜଣଙ୍କର ମୃତ୍ୟୁ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ବି ମୁଖ୍ୟମନ୍ତ୍ରୀ ମୁହଁ ଖୋଲି ନାହାଁନ୍ତି । ୨୦୧୯ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲାରେ ମଙ୍ଗୁଳି ଜେନାକୁ କିଏ ହତ୍ୟା କରିଥିଲା? ରାଜ୍ୟରେ ନିର୍ବାଚନୀ ହିଂସା କିଏ କରାଉଛି? ‘ମନ୍ଦିର ଭିତେ କିଏ ନା ମୁଁ କଦଳି ଖାଇ ନାହିଁ’ ! ରାଜ୍ୟରେ ରାଜନୈତିକ ହିଂସା ପ୍ରସଙ୍ଗରେ ବିଜେଡିର ଜବାବ୍ ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜୁ ଜନତା ଦଳର ପ୍ରତାପ ଜେନା, ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର, ସଞ୍ଜୟ ଦାସବର୍ମାଙ୍କ ଭଳି ଦାଗୀ ନେତାଙ୍କୁ ନବୀନ ନିଜର ଛତ୍ର ଛାୟା ତଳେ ରଖିଛନ୍ତି । ସେମାନେ ବିଭିନ୍ନ ହିଂସାରେ ସମ୍ପୃକ୍ତ ଥିଲେ ମଧ୍ୟ ତାଙ୍କ ଉପରେ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢ଼େ ୪କୋଟି ଓଡ଼ିଶାବାସୀଙ୍କୁ ନୈତିକତାର ଭାଷା କହି ନିଜକୁ ଲଜ୍ଜିତ କରନ୍ତୁ ନାହିଁ । ସତସାହାସ ଥିଲେ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ଅନୁଷ୍ଠିତ କରାଇବା ପରିପ୍ରେକ୍ଷୀରେ ରାଜନୈତିକ ଜବାବ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମହାନ୍ତି ଖୋଲା ଆହ୍ୱାନ ଦେଇଛନ୍ତି ।
ଦିନକୁ ଦିନ ନବୀନ ବାବୁଙ୍କ ସରକାରରେ ଅରାଜକତା ଓ ହିଂସା ଶୀର୍ଷରେ ପହଂଚିଛି ଏବଂ ଗତ କାଲି ଘଟିଯାଇଥିବା ହିଂସାକାଣ୍ଡ ଏହାର ସଦ୍ୟତମ ଉଦାହରଣ । ଗତ କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଧର୍ମଶାଳା, ଯାଜପୁର, ବ୍ରହ୍ମଗିରି, ଅନୁଗୋଳ, ହିନ୍ଦୋଳ, ଭଦ୍ରକ, କଣାସ, ନୟାଗଡ଼, ଜଲେଶ୍ୱର, ବାଙ୍ଗିରିପୋଷୀ, ଭଟଲି ଓ ପାଟଣାଗଡ଼ ସମେତ ପିପିଲି, ବଲାଙ୍ଗିର, କନ୍ଧମାଳ, ଝାରସୁଗୁଡ଼ା ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ହିଂସାକାଣ୍ଡରେ ଶାସକ ଦଳର କର୍ମୀମାନେ ସିଧାସଳଖ ସମ୍ପୃକ୍ତ ଅଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜୁ ଜନତା ଦଳର ଗୁଣ୍ଡାରାଜ ପାଇଁ ନାଗରିକମାନେ ଭୋଟ ଦେବାକୁ ବୁଥକୁ ଯିବାକୁ ଭୟ କରୁଛନ୍ତି । ଶାସକ ଦଳ କର୍ମୀମାନଙ୍କ ପ୍ରାଦୁର୍ଭାବ ଏତେ ଅଧିକ ଯେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାଡେବାରେ ସେ ପଛଘୂଂଚା ଦେଇନାହାନ୍ତି । ଯେଉଁଠି ଗଣମାଧ୍ୟମ ପ୍ରତିନିଧି ସୁରକ୍ଷିତ ନୁହେଁ ସେଠି ଲୋକମାନେ କିଭଳି ସୁରକ୍ଷା ପାଇପାରିବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଶାସକ ଦଳ ଦିବାଲୋକରେ ଟଙ୍କା ବାଂଟୁଥିବାର ଭିଡିଓ ଭାଇରାଲ ହେଉଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ସ୍ଥାନୀୟ ବିଧାୟକଙ୍କ ଭାଇ ପୁଲିସ ଗାଡିରେ ଟଙ୍କା ବାଂଟୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି । ସେହିପରି ଝାରସୁଗୁଡା ଜିଲ୍ଲାର ଲଖନପୁରରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଝିଅ ଦିନ ଦ୍ୱିପହରରେ ଏସଏସଜି ଗ୍ରୁପ ସହ ମିଶି ଟଙ୍କା ବାଂଟୁଛନ୍ତି । ଏପରିକି ଶାସକ ଦଳର କର୍ମୀମାନେ ଭୋଟ ଜବରଦଖଲ କରୁଥିବାର ଭିଡିଓ ମଧ୍ୟ ଭାଇରାଲ ହେଉଛି । ଏନେଇ ବିଜୁ ଜନତା ଦଳର ମୁଖିଆ ଗଣମାଧ୍ୟମ ଆଗରେ ନିଜର ଉତର ରଖିବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ନିର୍ବାଚନୀ ହିଂସା ପଛରେ କାହାର ହାତ ଅଛି ବୋଲି ଓଡ଼ିଶାର ସାଢ଼େ ୪କୋଟି ଜନତା ଭଲ ଭାବେ ଜାଣିଛନ୍ତି ଏବଂ ଏହାର ଉଚିତ୍ ଜବାବ୍ ଦେବେ । ଓଡ଼ିଶା ପ୍ରଶାସନ, ଡିଜିପି ଶାସକ ଦଳର ଇଙ୍ଗିତରେ କାମ ନକରି ଠିକ ଭାବରେ ନିଜର କାର୍ଯ୍ୟ କରିବା ସହ ଲୋକମାନଙ୍କୁ ବୁ୍ଥରେ ସୁରକ୍ଷିତ ଦିଅନ୍ତୁ । ସେହିପରି ରାଜ୍ୟ ନିର୍ବାଚନ କମିଶନ ଆଗାମୀ ପର୍ଯ୍ୟାୟର ମତଦାନ କିଭଳି ଶାନ୍ତିପୂର୍ଣ୍ଣ ହେବ, ସେ ଦିଗରେ ଧ୍ୟାନ ଦେବାକୁ ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଗଣମାଧ୍ୟମର ପ୍ରମୁଖ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।