ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଧିକାରୀଙ୍କୁ ପ୍ରଚାରରେ ବ୍ୟବହାର କରୁଛି ବିଜେଡି:ବିଜେପି ମହିଳା ମୋର୍ଚ୍ଚା ସ୍ମୃତି ପଟ୍ଟନାୟକ

0

ଭୁବନେଶ୍ୱର,(ରିପୋଟର୍ସ ପେନ୍‌): ଶାସକ ବିଜେଡିକୁ ପରାଜୟର ଭୟ ଘାରିଥିବାରୁ ମିଶନ ଶକ୍ତି ନାଁରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପଂଚାୟତ ନିର୍ବାଚନ କାର୍ଯ୍ୟରେ ବିଜେଡି ବ୍ୟବହାର କରୁଛି ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଚଳିତ ପଂଚାୟତ ନିର୍ବାଚନ ସମୟରେ ମିଶନ ଶକ୍ତିର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି । ମହିଳା ସଶକ୍ତିକରଣ ପାଇଁ ଉଦ୍ଧିଷ୍ଟ ମିଶନ ଶକ୍ତି ନିଜର ଦାୟୀତ୍ୱ ଓ କର୍ତବ୍ୟକୁ ଭୁଲିଯାଇ ପଂଚାୟତ ନିର୍ବାଚନରେ ଶାସକ ଦଳ ସପକ୍ଷରେ ଭୋଟ ପ୍ରଚାର କରୁଛି । ଡିପିଏମ (ଡିଷ୍ଟିଟ ପ୍ରୋଜେକ୍ଟ ମ୍ୟାନେଜର), ବିପିଏମ(ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର), ଏମବିକେ, ସିଆରପିମାନଙ୍କୁ ରାଜନୈତିକ କର୍ମୀଭାବେ ଶାସକ ଦଳ ପାଇଁ ଭୋଟ ସଂଗ୍ରହ କାର୍ଯ୍ୟରେ ଲଗାଉଛନ୍ତି ମିଶନ ଶକ୍ତିର ରାଜ୍ୟସ୍ତରୀୟ ଅଧିକାରୀମାନେ । ଏସଏଚଜି ଗ୍ରୁପମାନଙ୍କୁ ଏବେ ୨୫ହଜାର ଟଙ୍କା ଋଣ ଭାବରେ ସରକାର ଦେଉଛନ୍ତି, କିନ୍ତୁ ଏହା ବିଜୁ ଜନତା ଦଳ ଦେଉଛି ବୋଲି ମିଶନ ଶକ୍ତି ଅଧିକାରୀମାନେ ପ୍ରଚାର କାର୍ଯ୍ୟ କରୁଛନ୍ତି । ନିର୍ବାଚନ ସମୟରେ ଋଣ ବାବଦକୁ ୨୫ହଜାର ଦିଆଯିବାର ପ୍ରଚାର କରିବା ସଂପୂର୍ଣ୍ଣ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଏବଂ ନିର୍ବାଚନ ଚାଲୁଥିବା ସମୟରେ ଏକଥା ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁଥିବା ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି । ଡିପିଏମ, ବିପିଏମ, ଏମବିକେ, ସିଆରପି ଓ ମିଶନଶକ୍ତିର ଦାୟିତ୍ୱରେ ଥିବା ସମସ୍ତଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷଭାବରେ ନିର୍ବାଚନ କାର୍ଯ୍ୟରେ ଶାସକ ବିଜେଡି ଦଳୀୟ କାର୍ଯ୍ୟରେ ବ୍ୟବହାର ନକରିବାକୁ ଶ୍ରୀମତୀ ପଟ୍ଟନାୟକ ଦାବୀ କରିଛନ୍ତି ।

ବ୍ଲକ ସ୍ତରରେ ଏସଏଚଜି ଓ ମହାସଂଘ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ରେଜିଷ୍ଟର ମେଂଟେନ ରାଯାଉନାହିଁ । ଫଳରେ ଶାସକ ଦଳ ସମର୍ôଥତ ଏସଏଚଜି ଗ୍ରୁପମାନଙ୍କୁ ବାରମ୍ବାର ରିଭଲଭିଂ ଫଣ୍ଡ୍ ୧୦ହଜାର ଟଙ୍କା ଲେଖାଁ ଦିଆଯାଉଥିବାବେଳେ ଥରେ ବି ପାଇନଥିବା ଗୋଷ୍ଠୀମାନଙ୍କୁ ରିଭଲିଂ ଫଣ୍ଡରୁ ସମ୍ପୂର୍ଣ୍ଣ ବଂଚିତ କରାଯାଉଛି । ଏଭଳି ପକ୍ଷପାତିତା ମହିଳା ସଶକ୍ତିକରଣରେ ବାଧକ ସାଜିଛି । ଏଭଳି ପକ୍ଷପାତିତା ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଛି ବୋଲି ପ୍ରମାଣିତ ହୋଇଛି । ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ଓଡିଶା ରାଜ୍ୟ ଆଜି ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି । ପ୍ରତିଦିନ ହାରାହାରି ୪ ଦୁଷ୍କର୍ମ ଓ ୬ ଅପହରଣ ଘଟଣା ମହିଳାଙ୍କୁ ଅସୁରକ୍ଷିତ କରିଛି । ମହିଳାମାନଙ୍କୁ ନାଗରିକ ମାନ୍ୟତା ପରିବର୍ତେ ଭୋଟ ବ୍ୟାଂକ ଭାବେ ବ୍ୟବହାର କରୁଛି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଏଭଳି ରୁଗ୍‌ଣ ମାନସିକାତା ବିରୁଦ୍ଧରେ ଏକାଠି ହେବା ସହ ମହିଳା ସୁରକ୍ଷା ଓ ସଶକ୍ତୀକରଣ ପାଇଁ ଏସଏଚଜି ଗୃପମାନେ ଆଗେଇ ଆସିବାକୁ ଶ୍ରୀମତୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ରାଜ୍ୟରେ ମହିଳା ସଶକ୍ତିକରଣ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଓ ସମ୍ମାନକୁ ଛାଡି ଏକ ନିର୍ଦ୍ଦିଷ୍ଟ ରାଜନୈତକ ଦଳର କର୍ମୀଭାବେ କାର୍ଯ୍ୟ ନକରିବାକୁ ମିଶନ ଶକ୍ତିର ବିଭିନ୍ନ ଦାୟିତ୍ୱରେ ଥିବା ମାଁ ଓ ଭଉଣୀମାନଙ୍କୁ ଶ୍ରୀମତୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଜା ଦେବତା ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment