ପୁଲିସ୍ ଡିଜି, ଡିସିପି ଓ କମିଶନର ନାଁରେ ଏତଲା ଦେବା ବିଜେପି, ପୁଲିସ ଏତଲା ନ ରଖିଲେ କୋର୍ଟର ହେବ ଦ୍ୱାରସ୍ଥ

0

 

ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ ବେଳେ କର୍ମକର୍ତ୍ତାଙ୍କୁ ଅମାନବୀୟ ଢଙ୍ଗରେ ପୁଲିସ ମାଡ଼ ମାରିବାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦେଇଛି ବିଜେପି। ଆସନ୍ତାକାଲି ରାଜ୍ୟର ସମସ୍ତ ଥାନରେ ପୁଲିସ୍ ଡିଜି, ଟୁଇନ ସିଟି କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ନାଁରେ ଏତଲା କରିବ ବୋଲି ଦଳ ଘୋଷଣା କରିଛି।

ଯଦି ପୁଲିସ ଏତଲା ନ ରଖିବ ତା’ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଦଳ ଚେତାବନୀ ଦେଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ।

ସେ କହିଛନ୍ତି, ଆସନ୍ତାକାଲି ସବୁ ଥାନାରେ ପୁଲିସ୍ ଡିଜି, ଟୁଇନ ସିଟି କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ନାଁରେ ଏତଲା ଦିଆଯିବ। ଏହାସହ ୪ ତାରିଖରେ ରାଜ୍ୟର ସବୁ ଏସପି ଅଫିସ ଆଗରେ ଦଳ ବିକ୍ଷୋଭ ଓ ପ୍ରତିବାଦ କରିବ ।

ଏହାସହ ରାଜ୍ୟରେ ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ପୃଥ୍ୱୀରାଜ। ସେ କହିଛନ୍ତି, ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଗଲାଣି। ଓଡ଼ିଶାରେ ପୁଲିସ ଅମନଯୋଗିତା, ଅସହାୟ ଓ ଅକ୍ଷମତା କାରଣରୁ ଅନେକ ଗୁଡ଼ିଏ କେସ୍ ଥାନାରେ ରେଜିଷ୍ଟର ହେଉନାହିଁ। ଥାନାକୁ ଯିବାକୁ ଲୋକେ ଡରୁଛନ୍ତି। ଗାଁ ଗହଳିରେ ଦୁଇ ଦୁଇ ପକ୍ଷ ବସାଯାଇ ସମସ୍ୟାର ସମାଧାନ କରାଯାଉଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ନେଇ ସ୍ୱର ଉଠାଇଲେ ରାଜ୍ୟ ସରକାର ଦମନମୂଳକ ନୀତି ଅବଲମ୍ବନ କରୁଛନ୍ତି।

ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦ୍ୱିପହରରେ ହତ୍ୟା କରାଗଲା। ମନ୍ତ୍ରୀଙ୍କ ମୃତ୍ୟୁକୁ ମାସେକୁ ଅଧିକ ସମୟ ବିତିଗଲାଣି। ହେଲେ ହତ୍ୟାର ମୋଟିଭ୍ କ’ଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ହତ୍ୟାକାରୀ ପଛରେ କିଏ ଅଛି? ଷଡଯନ୍ତ୍ର ପଛରେ କିଏ ଅଛି? ସେହି କଥା ରାଜ୍ୟ ସରକାର କହିବାକୁ ପ୍ରସ୍ତୁତ ନୁହନ୍ତି। ତାଙ୍କ ପାଖରେ ବି ତଥ୍ୟ ନାହିଁ। ଏହା ହେଉଛି ରାଜ୍ୟ ସରକାରଙ୍କ ପାରିବା ପଣିଆ ବୋଲି ପୃଥ୍ୱୀରାଜ କହିଛନ୍ତି।

Leave a comment