କଟକ ଦେଇ କଳିଙ୍ଗ ଲକ୍ଷ୍ୟରେ ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିକଟରେ କୌଣସି ନିର୍ବାଚନ ନାହିଁ । ଆଖିଦୃଷ୍ଟିଆ ସେଭଳି କୌଣସି ଦଳୀୟ କାର୍ଯ୍ୟକ୍ରମ ନଥିଲା । କିନ୍ତୁ ହଠାତ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗ୍ରସ୍ତ ଏବଂ କଟକରେ ଭର୍ତ୍ତୃହରି ମହତାଵଙ୍କ ଖବରକାଗଜର ବର୍ଷିକ କାର୍ଯ୍ୟକ୍ରମରେ ଯୋଗଦେବା ଓ ତାଙ୍କ ସହ ଶ୍ରୀ ଶାହାଙ୍କ ଘନିଷ୍ଠ ସମ୍ପର୍କ ରାଜନୈତିକ ବିଶେଷଜ୍ଞଙ୍କ ମନରେ କିଛିଟା ସନ୍ଦେହ ସୃଷ୍ଟି କରୁଛି । କାହିଁକି ନା ନିକଟରେ ହାଇଡ୍ରାମା କରି ମହାରାଷ୍ଟ୍ର ସରକାର ଭାଙ୍ଗି ବିଜେପି ନୂତନ ସରକାର ଗଠନ କରିଛି । ସେହିପରି ବିହାରରେ ଜେଡିୟୁ, ବିଜେପି ସହ ନିଜ ମେଣ୍ଟ ଛିନ୍ନ କରିବା ପରେ ବିହାର ସରକାର ଭାଙ୍ଗି ଯାଇଥିବା ନେଇ ନୀତିଶ କୁମାର ଘୋଷଣା କରିଥିଲେ । କିଛି ଵିଶେଷ ସୂତ୍ରରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ପ୍ରମାଣ ମିଳିଥିଲା କି ମହାରାଷ୍ଟ୍ର ପରି ବିଜେପି ନୀତିଶଙ୍କ କିଛି ବିଧାୟକଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିଜ ଆଡକୁ ଆକୃଷ୍ଟ କରୁଛି । ତେଣୁ ମହାରାଷ୍ଟ୍ର ପରି ପରିସ୍ଥିତି ହେବା ପୂର୍ବରୁ ନୀତିଶ ମେଣ୍ଟ ଭାଙ୍ଗିଥିବା ନେଇ ଚର୍ଚ୍ଚା ହେଉଛି । ଏହି ସବୁ ଘଟଣାକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ବିଜେପି ସମଗ୍ର ଦେଶରେ ନିଜ ଆଧିପତ୍ୟ ବିସ୍ତାର କରିବାକୁ ବିଭିନ୍ନ ରଣକୌଶଳ ଅପଣାଇଛି । ଯେଉଁ ସବୁ ସ୍ଥାନରେ ଆଞ୍ଚଳିକ ଦଳ ସରକାରରେ ଅଛନ୍ତି ସେ ସବୁ ସ୍ଥାନରେ କିପରି ବିଜେପି ସରକାର ଗଠନ ହେବ ସେଥିପାଇଁ ନିଜ ସମସ୍ତ ଦମ ଲଗାଇଦେଇଛି । ମାତ୍ର ଓଡ଼ିଶାରେ ନିଜ ଦଳର ସ୍ଥିତି ଭଲ ନାହିଁ । ଓଡ଼ିଶା ମୁଖିଆଙ୍କ ମଧ୍ୟରେ ଥିବା ଅନ୍ତଃ କନ୍ଦଳର ସମାଧାନ ବାହାରୁ ନାହିଁ । ଏଭଳି ପରିସ୍ଥିତି ଦେଖି ଶ୍ରୀ ଶାହା ରାଜ୍ୟ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଓଡ଼ିଶାରେ ଦଳର ସ୍ଥିତିକୁ ଦେଖି ଏଠାରେ ଶ୍ରୀ ଶାହା ଟିକେ ଭିନ୍ନ ଆଚରଣ ଅବଲମ୍ବନ କରୁଥିବା ଏବଂ କର୍ମୀ ମାନଙ୍କୁ ଦଳକୁ ମଜଭୁତ କରିବାକୁ ଶ୍ରୀ ଶାହା ମନ୍ତ୍ର ଦେଇଥିବା ନେଇ ଚର୍ଚ୍ଚା ହେଉଛି । ସେହିପରି ନିଜ ନିଜ ମତଭେଦ ଦୂର କରି ଆଗାମୀ ନିର୍ବାଚନରେ ସମସ୍ତେ ଏକଜୁଟ ହୋଇ ଲଢ଼ିବେ ଓ ବିଜୟ ଲାଭ କରିବେ ସେନେଇ ରଣନୀତି ପ୍ରସ୍ତୁତ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ନବୀନ ସରକାରଙ୍କୁ ହଟାଇବା ବର୍ତ୍ତମାନ ବିଜେପି ପକ୍ଷରେ ସମ୍ଭବ ନୁହେଁ । ତେଣୁ ଅଧିକ ରୁ ଅଧିକ ଲୋକସଭା ଆସନ ହାତେଇ ରାଜ୍ୟ ସରକାରଙ୍କୁ ଚାପରେ ରଖିବା କେନ୍ଦ୍ରର ମୁଖ୍ୟ ଲକ୍ଷ୍ୟ । ଭୁବନେଶ୍ୱର ଲୋକସଭା ଆସନ ଗତ ନିର୍ବାଚନରେ ନିଜ ସପକ୍ଷରେ କରିଥିବା ବିଜେପି ଆସନ୍ତା ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନ ହାତେଇବାକୁ କଲାଣି ଗୋଟି ଚାଳନା । ସେଥିପାଇଁ ବିଜେଡ଼ି ନେତାଙ୍କ ଉପରେ ସିବିଆଇ ହେଉ କିମ୍ବା ଇଡ଼ି ପକ୍ଷରୁ ତଦନ୍ତ ଗୁଡ଼ିକୁ ଜୋରଦାର କରିବା ଆରମ୍ଭ ହେଲାଣି । ଯାହାଫଳରେ କଟକର ରାଜନୀତି ବିଜେପି ଅଧୀନରେ ରହିବ । ପୂର୍ବରୁ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ଗିରଫ କରିଥିବା ବେଳେ ବର୍ତ୍ତମାନ ସେ ଜାମିନରେ ଅଛନ୍ତି ସେହିପରି ପ୍ରଭାତ ବିଶ୍ୱାଳ ଇଡି ଜାଲରେ ଛନ୍ଦି ହୋଇ ରହିଛନ୍ତି । ଅପରପକ୍ଷରେ କଟକ ବିଜେଡ଼ିର ଅସନ୍ତୁଷ୍ଟ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଦେବୀ ମିଶ୍ରଙ୍କ ସହିତ ନୂତନ ସମ୍ପର୍କ ଗଢ଼ିବାକୁ ମଧ୍ୟ ବିଜେପି ଉଦ୍ୟମ କରୁଥିବା ସୂଚନା ମିଳିଛି । କଟକ ଲୋକସଭା ଆସନ ଅଧିନସ୍ଥ ୫ ବିଧାୟକ ବିଜେପି ଯୋଗାଯୋଗରେ ଥିବା ଚର୍ଚ୍ଚା ଜୋର ଧରିଛି ।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ସିବିଆଇ ତଦନ୍ତ ଆଳରେ କିଛି ବିଜେଡ଼ି ନେତା ଉପରେ ଚାପ ପକାଯାଇଥିବା ଚର୍ଚ୍ଚା ହେଉଥିଲା । ଫଳରେ ସେମାନେ ଭୁବନେଶ୍ୱର ସାଂସଦ ପାଇଁ ବିଜେପି ପ୍ରାର୍ଥୀ ଅପରାଜିତାଙ୍କୁ ଭୋଟ ଦେବାକୁ ଭିତରିଆ କହୁଥିବା ଚର୍ଚ୍ଚା ଜୋର ଧରିଥିଲା । ସେହି ରଣନୀତି ପୁନର୍ବାର କଟକ ଲୋକସଭା ଆସନ ପାଇଁ ବିଜେପି ପ୍ରସ୍ତୁତ କରୁଥିବା ନେଇ କଟକ ରାଜନୀତି ସରଗରମ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ୨୦୨୪ ହେବାକୁ ଥିବା ସାଧାରଣ ନିର୍ବାଚନ ୨୦୨୩ ଶେଷ ସୁଦ୍ଧା ହେବାର ଅଧିକ ସମ୍ଭାବନା ରହିଛି । ତେଣୁ ଏବେଠାରୁ ବିଜେପି ଅଧିକ ରୁ ଅଧିକ ଲୋକସଭା ଆସନରେ ବିଜୟଲାଭ କରିବାକୁ ସିବିଆଇ ଏବଂ ଇଡ଼ିକୁ ଅସ୍ତ୍ର କରିବା ସହ ଅସନ୍ତୁଷ୍ଟ ବିଧାୟକଙ୍କ ସହିତ ଭିତରି ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଛି । କଟକ ବିଧାୟକଙ୍କ ଉପରେ ଚାପ ପକାଇବା ପାଇଁ କିଛିଦିନ ହେଲାଣି ପୁଣିଥରେ ସିବିଆଇ ଏବଂ ଇଡ଼ି ତଦନ୍ତ ଆରମ୍ଭ କରିଛି । ସେହିପରି ବିଜେଡ଼ିରେ କୌଣସି ପଦପଦବୀ ନପାଇ ଅସନ୍ତୋଷ ନିଆଁରେ ଜଳୁଥିବା ଖଣ୍ଡପଡା ବିଧାୟକ ସଦାସର୍ବଦା ସରକାରଙ୍କୁ ଟାର୍ଗେଟ କରି ହରଡ଼ଘଣାରେ ପକାଉଛନ୍ତି । ଅପରପକ୍ଷରେ ଦେବୀ ମିଶ୍ରଙ୍କ ପରି ଅଭିଜ୍ଞ ବିଧାୟକ ସାମ୍ବାଦିକଙ୍କୁ ପଦେ କଥା କହିବାକୁ ଅନୁମତି ପାଇଁ ଅପେକ୍ଷା କରୁଛନ୍ତି ଯାହାକି ସେମାନଙ୍କ ସ୍ୱାଭିମାନରେ ଆଞ୍ଚ ଅଣୁଥିବା ପରି ସେମାନଙ୍କୁ ମନେ ହେଉଛି । ତେଣୁ ଦିନକୁ ଦିନ ସେମାନେ ଦଳରେ ନିଜ ସତ୍ତା ହରାଉ ଥିବା ଜ୍ୱାଳାରେ ଜଳୁଥିବା ବିଜେପି ଭଲଭାବେ ପରଖି ସାରିଲାଣି । ତେଣୁ କାଳବିଳମ୍ବ ନକରି ତଦନ୍ତ ଚାପରେ ହେଉ ବା ବିଜେଡ଼ିରେ ଥିବା ଅସନ୍ତୁଷ୍ଟଙ୍କୁ ନିଜ ସପକ୍ଷକୁ ଆଣିବାକୁ ବିଜେପି ପ୍ରୟାସ ଆରମ୍ଭ କଲାଣି । ଯାହାକି ଆଗାମୀ ନିର୍ବାଚନରେ ବିଜେଡ଼ି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କଲେଣି ।

Leave a comment