ନକ୍ସଲ ଆକ୍ରମଣରେ ବିଜେପି ବିଧାୟକ ନିହତ, ୫ ସୁରକ୍ଷା କର୍ମୀ ସହୀଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନକୁ ଆଉ କିଛି ଘଣ୍ଟା ବାକି ଥିବା ବେଳେ ନକ୍ସଲ ଆକ୍ରମଣରେ ୬ଜଣ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ସୁରକ୍ଷା କର୍ମୀ ହୋଇଥିବା ବେଳେ ଜଣେ ଦାନ୍ତେୱାଡ଼ାର ବିଜେପି ବିଧାୟକ ଭୀମା ମାଣ୍ଡବୀ । ଛତିଶଗଡ଼ରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ସ୍ଥିର ହୋଇଥିବା ବେଳେ ଏହି ଘଟଣା ନିର୍ବାଚନୀ ପାଣିପାଗକୁ ସରଗରମ କରିଛି ।
ସୂଚନା ଅନୁଯାୟୀ, ଦାନ୍ତେୱାଡ଼ାର ବିଜେପି ବିଧାୟକ ଭୀମା ମାଣ୍ଡବୀ ନିର୍ବାଚନୀ ଶୋଭାଯାତ୍ରାରେ ଯାଉଥିବା ସମୟରେ ନକ୍ସଲ ଆକ୍ରମଣର ଶିକାର ହୋଇଥିଲେ । ଛତିଶଗଡ଼ର କୁଆକୋଣ୍ଡା ଥାନା ଅଧୀନରେ ଥିବା ଶ୍ୟାମଗିରି ନାମକ ସ୍ଥାନରେ ଏହି ଘଟଣା ଘଟିଛି । ବିଧାୟକ ଭୀମା ଏହି ଶୋଭାଯାତ୍ରାର ଶେଷ ଗାଡ଼ିରେ ଯାଉଥିଲେ, ଯାହାକି ଆଇଡି ବିସ୍ଫୋରଣର ଟାର୍ଗେଟ୍ରେ ଥିଲା । ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ଯବାନମାନେ ମଧ୍ୟ ସେହି ଗାଡ଼ିରେ ଥିବାରୁ ଏହି ବିସ୍ଫୋରଣରେ ସେମାନେ ପ୍ରାଣ ହରାଇଛନ୍ତି । ଏହି ବିସ୍ଫୋରଣ ଘଟାଇବା ପୂର୍ବରୁ ନକ୍ସଲମାନେ କିଛି ରାଉଣ୍ଡ ଫାୟାରିଂ କରିଥିଲେ ।
ନକ୍ସଲମାନେ ଗତ ବିଧାନସଭା ନିର୍ବାଚନ ଭଳି ଏଥର ମଧ୍ୟ ନିର୍ବାଚନକୁ ବୟକଟ୍ କରିବାକୁ ଆହ୍ୱାନ ଦେଇଥିଲେ । ଗତ ଅକ୍ଟୋବର ୨୯ ତାରିଖରେ, ବିଧାନସଭା ନିର୍ବାଚନ ପୂର୍ବରୁ ନକ୍ସଲ ବାହିନୀ ଯବାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ, ଯେଉଁଥିରେ ଦୂରଦର୍ଶନ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କର ମୃତ୍ୟୁ ହୋଇଥିଲା । ବସ୍ତର ଅଞ୍ଚଳର ନୀଲାଭୟାଠାରେ ଏହି ଆକ୍ରମଣ କରାଯାଇଥିଲା । ଅପରପକ୍ଷରେ ଏହି ହମଲା ପରେ ଓଡ଼ିଶା ଡିଜିପି ନକ୍ସଲ ପ୍ରବଣ ଜିଲ୍ଲାର ଏସ୍ପିମାନଙ୍କୁ ଆଲର୍ଟ ଜାରି କରିବା ସହିତ ପ୍ରାର୍ଥୀମାନେ ନିଜଆଡ଼ୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।